ଆଠବର୍ଷ ବୟସର ବାଳକ । ପୂର୍ଣ୍ଣାନଦୀକୁ ସ୍ନାନ କରିବାକୁ ଯାଇଥାଏ । ବର୍ଷାଋତୁ । ନଦୀ ବଢି ହୋଇ ଏକୂଳରୁ ସେ କୂଳ ବ୍ୟାପିଥାଏ । ବାଳକଟି ସ୍ନାନ କରିବା ସମୟରେ ଗୋଟିଏ ବଡ କୁମ୍ଭୀର ତା’ ଗୋଡକୁ କାମୁଡି ଧରିଲା । ବାଳକଟି ଯେତେ ଚେଷ୍ଟା କଲା, ଯେତେ ଛାଟିପିଟି ହେଲା କିନ୍ତୁ କୁମ୍ଭୀର ପାଟିରୁ ନିଜ ଗୋଡକୁ ମୁକ୍ତ କରିପାରିଲା ନାହିଁ । ସେ ଅନ୍ୟ ଉପାୟ ନପାଇ ନିଜ ଜନନୀଙ୍କୁ ବିକଳ କଣ୍ଠରେ ତାକ ପକାଇଲା । ଜନନୀ ଧାଇଁ ଆସିଲେ । ପୁଅର ଏ ଅବସ୍ଥା ଦେଖି ପ୍ରଥମେ ଖୁବ୍ ଛାନିଆ ହୋଇଗଲେ । ତା’ପରେ ନିଜ ଇଷ୍ଟଦେବ ବୃଷାଚଳେଶ୍ଵର ମହାଦେବଙ୍କୁ ଆକୁଳ ସ୍ଵରରେ ପ୍ରାର୍ଥନା କଲେ । ହେଲେ ବି ପୁତ୍ରକୁ କୁମ୍ଭୀର କେବେହେଲେ ଛାଡୁନଥାଏ ।
ବାଳକଟି ଖୁବ୍ ବୁଦ୍ଧିମାନ ଥିଲା । ବିଶେଷ ଆଧ୍ୟାତ୍ମିକ ମାର୍ଗର ବେଦାନ୍ତବିତ୍ ବ୍ରାହ୍ମଣ ସନ୍ତାନ । ସେ ଜାଣିପାରିଲା ଯେ, କୁମ୍ଭୀରଠାରୁ ରକ୍ଷା ପାଇବାର ଏକମାତ୍ର ସଫଳ ଉପାୟ ହେଲା ସନ୍ନ୍ୟାସ ବ୍ରତ ଗ୍ରହଣ କରି ବ୍ରହ୍ମଚାରୀ ହେବା । ସେ ମାଆଙ୍କୁ କହିଲେ- ମା’ ଯଦି ତୁ ମୋତେ ସନ୍ନ୍ୟାସୀ ହୋଇଯିବାକୁ ଅନୁମତି ଦେବୁ ତେବେ ମୁଁ କୁମ୍ଭୀର କବଳରୁ ରକ୍ଷା ପାଇବି । ପୁଅର ଅଲୌକିକ ପ୍ରତିଭା ସମ୍ବନ୍ଧରେ ମାଆ ଜାଣିଥା’ନ୍ତି । ତେଣୁ ସେ ଅତି ବାଧ୍ୟ ହୋଇ ନିଜର ଏକମାତ୍ର ପୁଅକୁ ସନ୍ନ୍ୟାସୀ ହେବାକୁ ଅନୁମତି ଦେଲେ ।
ସେହି ନଦୀ ଜଳ ମଧ୍ୟରେ ଥାଇ ବାଳକ ସନ୍ନ୍ୟାସୀ ହେବେ ବୋଲି ଶପଥ କଲେ I ତତ୍କ୍ଷଣାତ୍ ଭୟଙ୍କର କୁମ୍ଭୀରଟା ବାଳକର ଗୋଡ ଛାଡିଦେଇ ନଦୀ ମଧ୍ୟରେ ଗଭୀର ଜଳକୁ ପ୍ରତ୍ୟାବର୍ତ୍ତନ କଲା । ବାଳକ ମୁକ୍ତ ହୋଇ ଉପରକୁ ଆସି ଜନନୀଙ୍କ ପଦବନ୍ଦନା କଲେ । ଗୃହକୁ ଆସି ସେ ସନ୍ନ୍ୟାସୀ ହେବା ପାଇଁ ଯିବାକୁ ପ୍ରସ୍ତୁତ ହେଲେ । ମା’ ଦୁଃଖ କରିବାରୁ ବାଳକ କଥା ଦେଲେ ଯେ, ତୋ ସେବାଶୁଶ୍ରୂଷା ପାଇଁ ମୁଁ ସଦା ପ୍ରସ୍ତୁତ । ତୁ ମୋତେ ସ୍ମରଣ କଲେ ମୁଁ ପହଞ୍ଚିଯିବି । ଏହାପରେ ସେହି ବାଳକ ନିଜ ଗ୍ରାମ କାଲଡି ପରିତ୍ୟାଗ କରି ସନ୍ନ୍ୟାସୀ ବେଶରେ ଚାଲିଲେ ।
ଏହି ତେଜସ୍ଵୀ ବାଳକ ଆଉ କେହି ନୁହନ୍ତି । ମହାଦେବଙ୍କ ଅନୁଗ୍ରହରୁ ମାତା ଆର୍ଯ୍ୟାମ୍ବୀ ଓ ପିତା ଶିବଗୁରୁଙ୍କଠାରୁ ଜନ୍ମିତ ଏକମାତ୍ର ପୁତ୍ର ବେଦାନ୍ତବିତ୍ ଶଙ୍ଖରାଚାର୍ଯ୍ୟ ଯିଏ କି ଆଠବର୍ଷ ବୟସରୁ ବେଦ ଉପନିଷଦ ଉପରେ ଜ୍ଞାନତତ୍ତ୍ଵ ଶିକ୍ଷା ଦେଉଥିଲେ । ବାରବର୍ଷ ବୟସ ବେଳକୁ ସେ ଜ୍ଞାନର ସବୁ ଶାଖାରେ ପାରଦର୍ଶୀ ହୋଇଥିଲେ । ତାଙ୍କ ଗୁରୁ ଥିଲେ ଗୋବିନ୍ନ ଭଗବତ୍ ପାଦ । ସେ ପୁରୀର ଗୋବର୍ଦ୍ଧନ ମଠ ପରି ବିଭିନ୍ନ ଧର୍ମ ସ୍ଥାନଗୁଡିକରେ ଅନେକ ମଠ ପ୍ରତିଷ୍ଠା କରି ଅଦ୍ୱୈତବାଦ ଧର୍ମର ପ୍ରଚାର ଓ ପ୍ରସାର କରିଥିଲେ । ମାତ୍ର ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ସେ । ଆଜି ଭାରତ କାହିଁକି ସାରା ବିଶ୍ଵରେ ସେ ଜଣେ ମହାନ ଧର୍ମଜ୍ଞ ମହାପୁରୁଷ ଭାବେ ଖ୍ୟାତ ଓ ଅମର ।
କାହାଣୀ- ନିରଞ୍ଜନ ପତି