କୋରାପୁଟ : କୋରାପୁଟ ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଲା ଜୈବିକ କଳାଜିରା ଚାଉଳ । ମହାପ୍ରଭୁଙ୍କ ଅନ୍ନ ପ୍ରସାଦରେ ଲାଗିବ କୋରାପୁଟର କଳାଜିରା ଚାଉଳ । ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୨୨କ୍ୟୁଣ୍ଟାଲ କଳାଜିରା ଚାଉଳ ସହିତ ୮ କ୍ୟୁଣ୍ଟାଲ ବାସା ଭୋଗ,ମଲ୍ଲୀ,ମୁଗ ଓ ବିରି ଏକ କୋଇଣ୍ଟାଲ ଲେଖାଏଁ ପୁରୀ ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ପଠାଯାଇଛି ।
ଶାବର ଶ୍ରୀକ୍ଷେତ୍ରରେ ପୂଜା ଅର୍ଚ୍ଚନା କରାଯିବା ପରେ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କୋରାପୁଟର ଜୈବିକ କଳାଜିରା ଚାଉଳ ଜିଆଇ ଟ୍ୟାଗ୍ ମିଳିବା ପରେ ୨୦୧୪ମସିହାରେ ପ୍ରଥମ କରି ଶ୍ରୀକ୍ଷେତ୍ରକୁ ପଠାଯାଇଥିବାବେଳେ ବର୍ତମାନ ଦ୍ୱିତୀୟ ଥର ପାଇଁ ପଠାଯାଇଛି । କଳାଜିରା ଚାଉଳକୁ ଶ୍ରୀମନ୍ଦିର ଅନ୍ନ ପ୍ରସାଦରେ ସାମିଲ କରିବା ପାଇଁ କୋରାପୁଟ ତରଫରୁ ଅନୁରୋଧ କରାଯାଇଥିଲା ।
ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଶ୍ରୀ ମନ୍ଦିର ପରିଚାଳନା ଟ୍ରଷ୍ଟ, କୋରାପୁଟ ଜିଲ୍ଲା ପ୍ରଶାସନ ସହାୟତାରେ ଚଳିତ ରଥଯାତ୍ରା ଉପଲକ୍ଷେ ଆଡ଼ପ ମଣ୍ଡପରୁ କୋଠଭୋଗ ଓ ମହାପ୍ରସାଦ ଲାଗି କୋରାପୁଟର ଜୈବିକ କଳାଜିରା ଚାଉଳ ନିୟମିତ ବ୍ୟବହାର କରିବା ପାଇଁ ସିଦ୍ଧାନ୍ତ ନିଆଯାଇଥିବାବେଳେ ଏହା କୋରାପୁଟ ଜିଲ୍ଲା ବାସୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ବୋଲି କହିଛନ୍ତି ବିଧାୟକ ଓ ଜିଲ୍ଲାପାଳ ।
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ଅନ୍ନ ପ୍ରସାଦ । ତେବେ ଶ୍ରୀମନ୍ଦିର ରୋଷଶାଳରେ ଜୈବିକ ଚାଉଳ ଭୋଗ ପ୍ରସ୍ତୁତ ହେବାକୁ ନେଇ କୋରାପୁଟ ଜିଲ୍ଲା ବାସୀଙ୍କ ଖୁସି କହିଲେ ନସରେ ।