ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସମଗ୍ର ଓଡ଼ିଶାରେ ପାସ୍ ହାର ୯୫.୩୩% ରହିଥିବା ବେଳେ କଳିଙ୍ଗ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ ସେସ୍ (କିସ୍ )ର ଫଳାଫଳ ଶତ ପ୍ରତିଶତ ହୋଇଛି । କିସ୍ ଆରମ୍ଭରୁ ଲଗାତାର ୧୯ବର୍ଷ ଧରି ଏହାର ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି ।
ଚଳିତ ବର୍ଷ ସ୍କୁଲ୍ ର ମୋଟ ୨୦୩୧ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୦ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାକି ଛାତ୍ରଛାତ୍ରୀ ୫୦ ପ୍ରତିଶତରୁ ଅଧିକ ନମ୍ବର ରଖି ଦ୍ୱତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍ ଛାତ୍ରୀ ସୁଚେତା ସୋରେନ୍ ସର୍ବାଧିକ ୫୬୮ ନମ୍ବର ରଖି ସ୍କୁଲ୍ ଟପ୍ ପର ହୋଇଛନ୍ତି ।
ଏହା ସହିତ କିସ୍ ର ସଉରା, ବଣ୍ଡା, ଜୁଆଙ୍ଗ, ଖଡ଼ିଆ, ଲୋଧା, ପାଉଡ଼ି ଭୂୟାଁ ଆଦି ଅତି ଦୁର୍ବଳ ଜନଜାତି ବର୍ଗର ୧୩୧ ଜଣ ଛାତ୍ରଛାତ୍ରୀ ମଧ୍ୟ ଏଥର ଭଲ ପ୍ରଦର୍ଶନ କରିଛନ୍ତି । ସେଥିମଧ୍ୟରୁ ୪୬ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଖୁସିର କଥା ଚଳିତବର୍ଷ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ରାଜ୍ୟରୁ ଆସି କିସ୍ ରେ ପଢ଼ୁଥିବା ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖି ସଫଳତା ହାସଲ କରିଛନ୍ତି ।
କିସ୍ ଫଳାଫଳ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ମାଟ୍ରିକ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡ. ସାମନ୍ତ କହିଛନ୍ତି, କିସ୍ ର ଏହି ଛାତ୍ରଛାତ୍ରୀମାନେ ହେଉଛନ୍ତି ଶିକ୍ଷା କ୍ଷେତ୍ରରେ ସେମାନଙ୍କ ବଂଶର ପ୍ରଥମ ପିଢ଼ି ।
କିସ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଓ ସମୟକୁ ସମୟ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଏବଂ ଛାତ୍ରଛାତ୍ରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ସେମାନଙ୍କ ମୂଳଦୁଆକୁ ଦୃଢ଼ କରିପାରିଛି । ସେଥିପାଇଁ ପ୍ରତିବର୍ଷ କିସ୍ ଏହି ସଫଳତା ପାଇପାରୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏଥିପାଇଁ ଡ. ସାମନ୍ତ କିସ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
