ଭୁବନେଶ୍ବର : ମାଡ଼ି ଆସୁଛି ଡିପ୍ ଡିପ୍ରେସନ୍ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିଛି । ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ପ୍ରାୟ ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଉତ୍ତର ଓଡ଼ିଶା ଦେଇ ଆଗକୁ ବଢିବ ଗଭୀର ଅବପାତ । ସକାଳ ୫ଟା ୩୦ ସୁଦ୍ଧା ଏହା ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ରହିଥିଲା ।
ଜାମସେଦପୁରଠାରୁ ୧୧୦ କିଲୋମିଟର ଦକ୍ଷିଣ-ପୂର୍ବ ଓ କେନ୍ଦୁଝରଗଡ଼ଠାରୁ ପ୍ରାୟ ୧୨୦ କିଲୋମିଟର ପୂର୍ବରେ ଏହାର ସ୍ଥିତି ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଆଗକୁ ବଢ଼ିବାର ସମ୍ଭାବନା ରହିଛି । ୩ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
ଭୀଷଣ ବର୍ଷା ପାଇଁ ଆଜି ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ରହିଛି । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ଼ରେ ଭୀଷଣ ବର୍ଷା ସମ୍ଭାବନା ଅଛି । ସେହିପରି ୧୩ ଜିଲ୍ଲାକୁ ଅରେଞ୍ଜ ଏବଂ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କାଲି କେବଳ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣିଂ ଜାରି ହୋଇଛି ।
