ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ମଧ୍ୟରେ ରୁଷରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଯେଉଁଥିରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨୩ ଜଣ ଯାତ୍ରୀ ଓ ୬ ଜଣ ବିମାନ କ୍ରୁ ମେମ୍ବର ରହିଛନ୍ତି। ରିପୋର୍ଟ ଅନୁଯାୟୀ, ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ କ୍ରିମିଆରେ ଏକ ରୁଷୀୟ ଏଏନ୍-୨୬ ସାମରିକ ପରିବହନ ବିମାନ ପଥରରେ ଧକ୍କା ଖାଇଛି। ଯେଉଁଥିରେ ସମସ୍ତ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥାଇପାରେ। ଏକ ସାମରିକ କମିଶନ ଘଟଣାସ୍ଥଳରେ କାର୍ଯ୍ୟ କରୁଛି।
ମିଳିଥିବା ସୂଚନା ଅନୁଯାୟୀ ୨୦୨୨ ମସିହାରେ ୟୁକ୍ରେନର ଦକ୍ଷିଣ-ପୂର୍ବ ଜାପୋରିଝିଆ ଅଞ୍ଚଳରେ ବୈଷୟିକ ଉଡ଼ାଣ ସମୟରେ ଏକ ୟୁକ୍ରେନୀୟ ଏଏନ୍-୨୬ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ୨୦୨୦ ମସିହାରେ, ଉତ୍ତର-ପୂର୍ବ ୟୁକ୍ରେନରେ ଏକ ତାଲିମ ଉଡ଼ାଣ ସମୟରେ ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୭ ଜଣଙ୍କ ମଧ୍ୟରୁ ଜଣେ ବ୍ୟତୀତ ସମସ୍ତେ ପ୍ରାଣ ହରାଇଥିଲେ।
