ଗୋପ: କିଏ ବୁଝିବ ମୋ ଦୁଃଖ କାହା ଆଗେ କରିବି ଗୁହାରି । ମୁଣ୍ଡ ଉପରେ ନାହିଁ ଚାଳଛପର, ହେଲେ ମୁଣ୍ଡ ଉପରେ ୯ ଫୁଟ ୧୦ ଇଞ୍ଚିର ଜଟା ଚୁଟି । ଆମେ କହୁଛୁ ପୁରୀ ଜିଲ୍ଲା ଗୋପବ୍ଲକ ଜଙ୍ଗଲବୋରୀ ପଞ୍ଚାୟତର ଭୁରୁଭୁରା ଗାଁର ଅଲେଖ ଧର୍ମ ନେଇଥିବା ସଞ୍ଜୁ କାଣ୍ଡିଙ୍କ ଦୁଃଖଭରା କଥା । ଆଜକୁ ୩୦ ବର୍ଷ ହେବ ସ୍ବାମୀ ମୃତ୍ୟୁ ପରେ ଦୁଃଖ କଷ୍ଟରେ ଦୁଇ ଛୁଆକୁ ନେଇ କାଟିଛନ୍ତି ଜୀବନ । ଛୋଟିଆ ପଲିଥିନ ପଡିଥିବା ଭଙ୍ଗାରୁଜା ମାଟିକାନ୍ଥ ତଳେ ରହି ଛୋଟରୁ ବଡ କରିଥିବା ଝିଅକୁ ବିବାହ ଦେବା ପରେ ମାନସିକ ବିକାରଗ୍ରସ୍ତ ପୁଅକୁ ଚିକିତ୍ସା କରାଇବା ପାଇଁ ପର ଦୂଆରେ ମୁଲ ଲାଗୁଛନ୍ତି ।
ସଞ୍ଜୁ ଯେଉଁ ସମୟରେ ବିବାହ କରିଥିଲେ ସେହି ସମୟରେ ପିଲାଛୁଆ ହେଲେ ନାହିଁ । ତେଣୁ ସଞ୍ଜୁ ଅଲେଖ ଧର୍ମ ଗ୍ରହଣ କରିଥିଲେ । ପରେ ତାଙ୍କର ପୁଅ ଓ ଝିଅଟିଏ ହୋଇଥିଲା। ସେହି ଦିନରୁ ଅଲେଖ ଧର୍ମରେ ରହି ନିଜ ଛୁଆଙ୍କୁ ମଣିଷ ପରି ମଣିଷ କରିବା ପାଇଁ ବାରଦୁଆରେ କାମ କରି ପ୍ରତିପୋଷଣ କରୁଥିଲେ । ପରେ ଝିଅକୁ ବିବାହ ଦେଲେ । ତାହାରି ଭିତରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ପୁଅକୁ ପୋଷିବା ପାଇଁ ୭୦ ବର୍ଷରେ ବି ପର ଦୁଆରେ ଖଟୁଛନ୍ତି । କେବେ ଧାନ ରୋଉଛନ୍ତି ତ ଧାନ କାଟୁଛନ୍ତି କେବେ ପୁରୁଷଙ୍କ ପରି ହଳା ବାନ୍ଧୁଛନ୍ତି ହେଲେ କେବେବି ସେ ହାରି ନାଁହାନ୍ତି । ସନ୍ଧ୍ୟା ସମୟରେ ଘରକୁ ଆସି ପୁଅ ପାଇଁ ଖାଇବା ପ୍ରସ୍ତୁତ କରୁଛନ୍ତି । ହେଲେ ଘରଟିଏ ପାଇଁ ସରପଞ୍ଚଠାରୁ ଗୋପ ବିଡିଓ ପାଖକୁ ଦୌଡ଼ି ଦୌଡ଼ି ଅପେକ୍ଷା କରି ବସିଛନ୍ତି । ଘରଟିଏ କେବେ ମିଳବ ?
ସଞ୍ଜୁ ଜଣେ ଅସହାୟ ମହିଳା ବରିଷ୍ଠ ନାଗରିକ । ଆଜକୁ ୩୦ ବର୍ଷ ହେବ ଅଲେଖ ଧର୍ମ ନେଇଥିବାରୁ ମୁଣ୍ଡ ଉପରେ ଚାଳ ନାହିଁ ଧର୍ମକୁ ସତ୍ୟ କରି ରଖିଛନ୍ତି ୯ ଫୁଟ ୧୦ ଇଞ୍ଚିର ଜଟ । ଯାହା ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଲମ୍ବ ଥିବା ବେଳେ ଆହୁରି ଦୁଇହାତ ଅଧିକ ଲମ୍ବ ରହିଛି । ଏତେବଡ ଜଟକୁ କିପରି ମୁଣ୍ଡରେ ଧରି କାମ କରୁଛନ୍ତି । ଏନେଇ ସରକାରଙ୍କ ଆବାସ ଗୃହ ଟିଏ ପାଇବା ପାଇଁ ଆଖିରେ ଆଖିଏ ଲୁହ ଧରି ଗୁହାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ।

