ସନାତନ ଧର୍ମରେ ଜୀବନରେ ମାର୍ଗଦର୍ଶନ ପାଇଁ ନିୟମ ଓ ରୀତିନୀତି ରହିଛି । ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ମୋଟ୍ ୧୬ ଟି ରୀତିନୀତି ରହିଛି । ସେହି ସବୁ ମଧ୍ୟରୁ ଶେଷ ସଂସ୍କାରକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଶ୍ବାସ କରାଯାଏ । ମୃତ୍ୟୁ ପରେ ଘରେ ଏମିତି କିଛି ନିୟମ ରହିଛି ଯାହା ପାଳନ କରିବାକୁ ପଡିଥାଏ ।
ସାଧାରଣତଃ ମୃତ୍ୟୁ ପରେ ଘରେ ଚୁଲି ଜଳା ହୋଇ ନଥାଏ । ଏହା ପଛରେ କିଛି ପୌରାଣିକ କାରଣ ରହିଛି । ଯାହା ଗରୁଡ ପୁରାଣରେ ଲିପିବଦ୍ଧ ହୋଇଛି । ଏହା ଆତ୍ମାର ଶାନ୍ତି, ପରିବାରର ଦୁଃଖ ସମବେଦନା ଏବଂ ଘରର ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିଥାଏ । କାହାର ମୃତ୍ୟୁ ହୋଇଗଲେ କାହିଁକି ଚୁଲି ଜଳାଯାଏ ନାହିଁ ଆସନ୍ତୁ ତେବେ ଗରୁଡ଼ ପୁରାଣରେ କ’ଣ ନିୟମ ରହିଛି ସେ ସମ୍ପର୍କରେ ଜାଣିବା ।
ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଗରୁଡ଼ ପୁରାଣରେ ମୃତ୍ୟୁ ପରେ ପାଳନ କରାଯିବାକୁ ଥିବା ନିୟମ ଏବଂ ରୀତିନୀତି ବିଷୟରେ ଏଥିରେ ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଛି । ଏଥିରେ କୁହାଯାଇଛି ଯେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସାଧାରଣ କାର୍ଯ୍ୟକଳାପକୁ କିଛି ସମୟ ପାଇଁ ସ୍ଥଗିତ ରଖିବା ଉଚିତ୍ । କାହାଁକିନା ଆତ୍ମାର ଶାନ୍ତିପୂର୍ଣ୍ଣ ଯାତ୍ରା ସୁନିଶ୍ଚିତ ହୋଇପାରିବ ଏବଂ ପରିବାରକୁ ଶୋକ କରିବା ପାଇଁ ସମୟ ମିଳିପାରିବ । ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଆତ୍ମା ଘର ଏବଂ ପରିବାରରେ ରହିଯାଏ ବୋଲି ବିଶ୍ବାସ କରାଯାଏ । ତେଣୁ ଏହି ସମୟରେ ରୋଷେଇ କରାଯାଇ ନଥାଏ । ନଚେତ୍ ଏହି ସବୁ କାର୍ଯ୍ୟକଳାପ ଆତ୍ମାକୁ ବିଚଳିତ କରିପାରେ । ସେଥିପାଇଁ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ସମୟ ଦେବା ଏବଂ ପରିବାରକୁ ଶୋକ କରିବା ପାଇଁ ସୁଯୋଗ ଦେବା ଗୁରୁତ୍ୱପୂର୍ଣ୍ଣ ।
ଏଥିସହ ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ବିଭିନ୍ନ ଜୀବାଣୁ ଥାଏ । ଯାହା ପରିବେଶ ସାରା ବ୍ୟାପିଯାଏ । ତେଣୁ ଶବଦାହ ପରେ ଘରକୁ ସମ୍ପୂର୍ଣ୍ଣ ରୂପେ ସଫା କରାଯାଏ । ତେଣୁ ଶୁଦ୍ଧିକରଣ ପ୍ରକ୍ରିୟା ସମାପ୍ତ ହେବା ପୂର୍ବରୁ ଖାଦ୍ୟ ରନ୍ଧା ହେବା ଏବଂ ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ ବୋଲି କୁହାଯାଏ । ମୃତ୍ୟୁ ପରେ ଶୋକ ସମୟ ଅବଧି ୩ ରୁ ୧୩ ଦିନ ପର୍ଯ୍ୟନ୍ତ ଥାଏ । ଏହି ସମୟରେ ଘରେ ଚୁଲି ନ ଜାଳିବା ବ୍ୟତୀତ ଅନେକ ରୀତିନୀତି ଥାଏ । ଏହା କେବଳ ଧାର୍ମିକ ବିଶ୍ବାସ ନୁହେଁ ବରଂ ଏହା ସ୍ବାସ୍ଥ୍ୟ, ମାନସିକ ସନ୍ତୁଳନ ଏବଂ ସାମାଜିକ ସହଯୋଗ ଭଳି ଗଭୀର ଦିଗଗୁଡ଼ିକୁ ମଧ୍ୟ ସାମିଲ କରେ ।
ଶୋକାକୁଳ ପରିବାରକୁ ରୋଷେଇ ଏବଂ ଅନ୍ୟାନ୍ୟ କାମ ମାଧ୍ୟମରେ ସମୟ ଦେବା ଦ୍ୱାରା ସେମାନଙ୍କ ଦୁଃଖ ଦୂର ହେବାରେ ସାହାଯ୍ୟ ହୋଇଥାଏ । ଏହି ସମୟରେ ସମ୍ପର୍କୀୟ ଏବଂ ପଡ଼ୋଶୀମାନେ ମଧ୍ୟ ଖାଦ୍ୟ ପଠାଇ ସମର୍ଥନ ପ୍ରଦାନ କରନ୍ତି । ଯାହା ଦ୍ବାରା ପାରିବାରିକ ବନ୍ଧନ ମଜବୁତ ହେବା ସହ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥାଏ ।
