Thursday, March 12, 2026
36.4 C
Odisha

    ମୃତ ସୂଚନାଦାତାଙ୍କୁ ଦୁଇଗୁଣ ଅନୁକମ୍ପା ରାଶି

    ଆଗକୁ ପଢନ୍ତୁ

    ଭୋପାଳ : ଛତିଶଗଡର ବସ୍ତର, ଦାନ୍ତେୱାଡା, ସୁକ୍‌ମା, ବିଜାପୁର ଭଳି ଅଞ୍ଚଳରେ ମାଓବାଦୀ ବହୁ ସଂଖ୍ୟାରେ ସକ୍ରିୟ ଅଛନ୍ତି। ନିୟମିତ ବ୍ୟବଧାନରେ ଏହି ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥାଏ। ତେବେ ମାଓବାଦୀଙ୍କ ଉପସ୍ଥିତି ଓ କାର୍ଯ୍ୟକଳାପ ସମ୍ପର୍କରେ ପୁଲିସକୁ ସୂଚନା ଦେଉଥିବା ବ୍ୟକ୍ତି ଅନେକ ସମୟରେ ମାଓ ହିଂସାର ଶିକାର ପାଲଟିଥାନ୍ତି। ପୁଲିସକୁ ସୂଚନା ଦେଉଥିବା ଏଭଳି ବ୍ୟକ୍ତିଙ୍କ ମୃତ୍ୟୁ ପରେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ପୂର୍ବରୁ ଏହି ଅନୁକମ୍ପା ରାଶି ୫ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବାବେବେ ବର୍ତ୍ତମାନ ଏହାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଭଳି ସୂଚନାଦାତାଙ୍କ ମଧ୍ୟରେ ପୂର୍ବତନ ମାଓବାଦୀ ମଧ୍ୟ ସାମିଲ ଅଛନ୍ତି। ୨୦୦୦ ମସିହାରେ ସ୍ବତନ୍ତ୍ର ଛତିଶଗଡ ରାଜ୍ୟ ଗଠନ ପରଠାରୁ ମାଓବାଦୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ସମସ୍ତ ସୂଚନାଦାତାଙ୍କ ପରିବାରକୁ ବର୍ଦ୍ଧିତ ଅନୁକମ୍ପା ରାଶି ମିଳିବ ବୋଲି କୁହାଯାଇଛି। କେବଳ ମୃତକ ନୁହନ୍ତି, ମାଓ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସୂଚନାଦାତା ଏବଂ ଆତ୍ମସମର୍ପଣ କରିଥିବା ମାଓବାଦୀ ମଧ୍ୟ ଏଭଳି ଆର୍ଥିକ ପ୍ରୋତ୍ସାହନ ପାଇବେ ବୋଲି ଜଣାପଡିଛି। ମୃତ ସୂଚନାଦାତାଙ୍କ ପରିବାରକୁ ପୂର୍ବରୁ ୫ ଲକ୍ଷ ମିଳୁଥିବାବେଳେ ଏହା ୧୦ ଲକ୍ଷକୁ ବୃଦ୍ଧି କରାଯିବ ଏବଂ ସ୍ଥାୟୀଭାବେ ଭିନ୍ନକ୍ଷମ ପାଲଟିଥିବା ସୂଚନାଦାତାଙ୍କୁ ଏଣିକି ୩ ଲକ୍ଷ ପରିବର୍ତ୍ତେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ମାଓ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ, ଚାଷଜମିର କ୍ଷତିପୂରଣ ରାଶିକୁ ମଧ୍ୟ ୬୦ ହଜାରରୁ ୮ ଲକ୍ଷକୁ ବୃଦ୍ଧି କରାଯିବ।

    ସୂଚନାଯୋଗ୍ୟ ମାଓ ଆକ୍ରମଣରେ ପ୍ରାଣ ହରାଇଥିବା କିମ୍ବା ଗୁରୁତର ଆହତ ହୋଇଥିବା ସୂଚନାଦାତାଙ୍କ ପରିବାରକୁ ଗ୍ରାମୀଣ ଏବଂ ସହରାଞ୍ଚଳରେ ଜମି ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଯଦି ଉପଯୁକ୍ତ ଜମି ଉପଲବ୍ଧ ନ ହୁଏ,ତେବେ ହିତାଧିକାରୀଙ୍କୁ ସେ ବାବଦରେ ଗ୍ରାମୀଣ ଅଞ୍ଚଳ ପାଇଁ ୪ ଲକ୍ଷ ଏବଂ ସହରାଞ୍ଚଳ ପାଇଁ ୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପୁନଶ୍ଚ ଏଭଳି ସୂଚନାଦାତାଙ୍କ ପରିବାର ସଦସ୍ୟଙ୍କୁ ଯଦି ସରକାରୀ ଚାକିରି ନ ମିଳେ, ତେବେ ଏକକାଳୀନ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଭଳି ସୂଚନାଦାତାଙ୍କ ସନ୍ତାନଙ୍କୁ ମାଗଣା ଶିକ୍ଷା, ଛାତ୍ରବୃତ୍ତି, ହଷ୍ଟେଲ ରହଣି ସୁବିଧା ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠ ପଢିଲେ ବାର୍ଷିକ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ଜଣାପଡିଛି। ମାଓ ହିଂସାରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ‘ପ୍ରୟାସ’ ଏବଂ ‘ଏକଲବ୍ୟ’ ଭଳି ସରକାରୀ ଆବାସିକ ବିଦ୍ୟାଳୟରେ ନାମଲେଖାର ସୁବିଧା ପ୍ରଦାନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    9 %
    2.7kmh
    0 %
    Thu
    35 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ