ଭୁବନେଶ୍ୱର : ମୋବାଇଲକୁ ଆସୁଥିଲା ଲିଙ୍କ୍ ଆଉ ଲିଙ୍କ କ୍ଲିକ୍ କରିବା ମାତ୍ରେ କିଛି ସେକେଣ୍ଡରେ ଖାଲି ହେଉଥିଲା ବ୍ୟାଙ୍କ ଆକାଉଣ୍ଟ । IPO ରେ କୋଟିଏ ଟଙ୍କା ରିଟର୍ନର ସ୍ୱପ୍ନ ଦେଖାଇ ସାଧାରଣ ଲୋକଙ୍କୁ ଫସାଉଥିବା ଆନ୍ତର୍ରାଜ୍ୟ ସାଇବର ଠକ ! Apk ଲିଙ୍କ ଚକ୍ରରେ ଝାଡ଼ଖଣ୍ଡ ପୋଲିସର ପୁଅ ଜଡିତ ଥିବା ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗିରଫ ଅଭିଯୁକ୍ତମାନେ ପ୍ରଥମେ IPO ରେ କୋଟିଏ ଟଙ୍କା ରିଟର୍ନର ସ୍ୱପ୍ନ ଦେଖାଇ ଲୋକଙ୍କୁ ଫସାଉଥିଲେ ।
ପରେ RTO ଚାଲାଣ APK ଫାଇଲ ପଠାଇ ମୋବାଇଲ ହ୍ୟାକ କରିବା ପରେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାୟବ କରୁଥିଲେ । ସାଇବର କ୍ରାଇମ ଏବଂ ଇକୋନୋମିକ ଅଫେନ୍ସ ଥାନା ପୋଲିସ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ହ୍ୱାଟ୍ସଆପ୍ ଓ ଟେଲିଗ୍ରାମ ଗ୍ରୁପ ମାଧ୍ୟମରେ ଫ୍ରଡ୍ APK ଫାଇଲ ପଠାଉଥିଲେ । ଲୋକେ ଲିଙ୍କ୍ ରେ କ୍ଲିକ କରିବା ପରେ ମୋବାଇଲର ବ୍ୟାଙ୍କିଂ ଡାଟା ଓ OTP ଠକଙ୍କ ପାଖକୁ ପହଞ୍ଚୁଥିଲା ।
ପରେ ମୁଲ୍ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରାଯାଉଥିଲା । Protect Bot ନାମର ଏକ ଆପ୍ ଦ୍ୱାରା ମାଲିସିଅସ APK ତିଆରି କରାଯାଉଥିବା ବେଳେ ପ୍ରତ୍ୟେକ ଡାଉନଲୋଡ୍ ପାଇଁ ଅଭିଯୁକ୍ତମାନେ ହଜାର ହଜାର ଟଙ୍କା ପାଉଥିଲେ । ଦିନକୁ ୧୦ରୁ ୪୦ ଜଣ ପର୍ଯ୍ୟନ୍ତ ଏହି ଜାଲରେ ପଡୁଥିବା ସୂଚନା ଦେଇଛି ପୋଲିସ ।
ଅନ୍ୟପଟେ IPO ଇନଭେଷ୍ଟମେଣ୍ଟ ନାଁରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ୨୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ମଧ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତଙ୍କ ଠାରୁ ମୋବାଇଲ, ଲାପଟପ, ଅନଲାଇନ ଚାଟ୍ ଓ ଡିଜିଟାଲ ପ୍ରମାଣ ଜବତ କରିଛି। ସହଜରେ ଟଙ୍କା ଆସିବାର ଲୋଭରେ ଅଜଣା APK ଫାଇଲ କିମ୍ବା ଲିଙ୍କରେ କ୍ଲିକ ନ କରିବାକୁ ସତର୍କ କରିଛି ସାଇବର ଥାନା ପୋଲିସ।
