ରାଉରକେଲାରୁ ମଧ୍ୟ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଚାହିଦା ତୁଳନାରେ ପର୍ଯ୍ୟାପ୍ତ ତୈଳ ଆସୁନଥିବାରୁ, ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ହର୍ମୁଜ୍ ସଂକଟ ଭିତରେ ଗତକାଲି ଦେଶବାସୀଙ୍କୁ ମୋଦୀ କରିଥିଲେ ବଡ଼ ଅପିଲ୍ । ସାଧାରଣ ପରିବହନ ଓ କାର୍ପୁଲିଂ ବ୍ୟବହାର କରି, ଆମଦାନୀ ହେଉଥିବା ଇନ୍ଧନ ଖର୍ଚ୍ଚ କମ୍ କରିବାକୁ ନିବେଦନ କରିଥିଲେ। ସୂଚନା ଯୋଗ୍ୟ ଯେ, ପଶ୍ଚିମ ଏସିଆ ସଂକଟ ଯୋଗୁ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ଦର ୧୦୦ ଡଲାର୍ ଟପିଛି । ଉତ୍କଳ ପେଟ୍ରୋଲିୟମ ଡିଲର୍ ସଂଘ ସମ୍ପାଦକ କହିଛନ୍ତି, ଦେଶର ପ୍ରାୟ ୯୦ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ ହୁଏ । ତେଣୁ ବୈଦେଶିକ ମୁଦ୍ରା ବୋଝ ହ୍ରାସ କରିବା ସରକାରଙ୍କ ମୂଳ ଲକ୍ଷ୍ୟ । ତେବେ ପେଟ୍ରୋଲ ଓ ଡିଜେଲର ସ୍ଥିତି ସମ୍ପୂର୍ଣ୍ଣ ସ୍ଥିର ଅଛି ।
ବର୍ଷେ ଯାଏଁ ସୁନା କିଣନି, ବର୍ଷେ ଯାଏଁ ବିଦେଶ ଯାଅନି, ୧୦% ଖାଇବା ତେଲ କମ୍ କର, ଜମିରେ ଅଳ୍ପ ସାର ପକାଅ, ୱାର୍କ ଫ୍ରମ୍ ହୋମ୍ କର । ପଶ୍ଚିମ ଏସିଆ ସଂକଟ ଭିତରେ ଦେଶର ଆର୍ଥିକ ସୁରକ୍ଷା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ମଜବୁତ କରିବାକୁ ଏଭଳି ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ । ସୂଚନା ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ସବୁ ସାମଗ୍ରୀ ଆମଦାନୀ ପାଇଁ ଦେଶକୁ ୭୭୫ ବିଲିୟନ ଡଲାର୍ ଖର୍ଚ୍ଚ କରିବାକୁ ପଡ଼ିଛି । ତେଣୁ ଦେଶ ହିତ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ସକାରାତ୍ମକ ଭାବେ ନେବା ଉଚିତ ବୋଲି ମତ ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ । କହିଛନ୍ତି ଏହାଦ୍ୱାରା ତେଲ ବିପଣନ କମ୍ପାନୀଗୁଡ଼ିକର କ୍ଷତି କମିବ । ଅତ୍ୟଧିକ ସୁନା କ୍ରୟ ଦେଶର ଅର୍ଥନୀତି ପାଇଁ ଭଲ ସଙ୍କେତ ନୁହେଁ । ଏଥିସହ ସରକାର ତେଲ ଉପରେ ଶୁଳ୍କ ହ୍ରାସ କରିବା ଦରକାର ବୋଲି ମତ ରଖିଛନ୍ତି ।
