Sunday, March 22, 2026
32 C
Odisha

    ଯୋଗାଣ ମନ୍ତ୍ରୀ କଲେକ୍ସନ୍‌ରେ ମାତିଛନ୍ତି: ତାରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପରେ ସାଂଘାତିକ ଆରୋପ ଲଗାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ମନ୍ତ୍ରୀ ସବୁ ଜିଲ୍ଲାରେ ଏଜେଣ୍ଟ୍ ରଖି ଖାଲି କଲେକ୍ସନ୍‌ରେ ମାତିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଧାନସଭା ଗୃହରେ ତାରାଙ୍କ ଏପରି ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ଶ୍ରୀ ବାହିନୀପତି କହିଲେ, ମଣ୍ଡିରୁ ଧାନ ଠିକ୍ ଭାବେ ସଂଗ୍ରହ ହେଉନାହିଁ। ଚାଷୀ ହଇରାଣ ହେଉଛନ୍ତି। ଯୋଗାଣ ମନ୍ତ୍ରୀ ସବୁଆଡ଼େ ବୁଲି ବୁଲି କଲେକ୍ସନ୍‌ରେ ମାତିଛନ୍ତି। ବଲାଙ୍ଗୀର, ଗଞ୍ଜାମ,କଟକ, ସୁନ୍ଦରଗଡ଼ ଆଦି ଅନେକ ଜିଲ୍ଲାରେ ମନ୍ତ୍ରୀଙ୍କର କଲେକ୍ସନ୍‌ ଏଜେଣ୍ଟ ଅଛନ୍ତି। ମିଲ୍ ମାଲିକ ଓ ଗୋଦାମ ମାଲିକମାନେ ଟଙ୍କା ଦେଉଛନ୍ତି। ରାଜ୍ୟର ସବୁ ଗୋଦାମରୁ ଲକ୍ଷେ ଟଙ୍କା ଲେଖାଏଁ କଲେକ୍ସନ୍‌ ହେଉଛନ୍ତି। ବଲାଙ୍ଗୀରରେ ତ୍ରିପାଠୀ, ଗଞ୍ଜାମରେ ଶତପଥୀ ଏମିତି ମନ୍ତ୍ରୀଙ୍କ ଏଜେଣ୍ଟମାନେ ଏବେ ବୁଲୁଛନ୍ତି। ପୁଣି ଜଣେ ଶଙ୍ଖ ବାବୁ ବି ମନ୍ତ୍ରୀଙ୍କ ପାଖରେ ରହି କଲେକ୍ସନ୍‌ କରୁଛନ୍ତି। ଏ କଥା ବାଟରେ ପଡ଼ି ହାଟରେ ଗଡ଼ୁଛି,ଯୋଗାଣ ମନ୍ତ୍ରୀଙ୍କ ପ୍ରତି ତାରା ଏମିତି ସଙ୍ଗୀନ ଅଭିଯୋଗ ଆଣୁଥିଲେ ବି ଶାସକ ଦଳର ସଭ୍ୟମାନେ ପ୍ରତିବାଦ ତ ଦୂର କଥା, ଉଁ ଚୁଁ ହୋଇ ନଥିଲେ। କେବଳ ଗଞ୍ଜାମ ଜିଲ୍ଲାର ଜଣେ ବିଧାୟକ ଠିଆ ହୋଇ କହିଥିଲେ, ଗଞ୍ଜାମରେ ଏମିତି କଲେକ୍ସନ୍‌ ହେଉନାହିଁ। ଆପଣ ପ୍ରମାଣ ଦେଇପାରିବେ? କିନ୍ତୁ ତାରା କହିଥିଲେ, ‘ଆପଣମାନେ ଜାଣିନାହାନ୍ତି। ମନ୍ତ୍ରୀଙ୍କ ଲୋକ ସିଧାସଳଖ କଲେକ୍ସନ୍‌ କରୁଛନ୍ତି।’ ଅନ୍ୟ କୌଣସି ଶାସକ ଦଳର ବିଧାୟକ ପାଟି ଫିଟାଇ ନଥିଲେ। ସେପଟେ ଗଣମାଧ୍ୟମରେ ତାରାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର। କହିଥିଲେ, ତାରା ବାବୁ ଯାହା କହିଲେ ତାହା ସମ୍ପୂର୍ଣ୍ଣ ମିଛ ଓ ଦୁର୍ଭାଗ୍ୟଜନକ। ଏମିତି ହାଲୁକା ମନ୍ତବ୍ୟ ଦେବା ତାଙ୍କର ଅଭ୍ୟାସ। କେତେବେଳେ କାହାକୁ କ’ଣ କୁହନ୍ତି, ତାହାର ହିସାବ ନାହିଁ। ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ଆମ ସରକାର ସ୍ବଚ୍ଛତାର ସହ କାମ କରୁଛନ୍ତି। କିଛି ଅଭିଯୋଗ ଆସିନି। ଯଦି ତାଙ୍କର ସତ୍‌ସ‌ାହସ ଅଛି, ତେବେ ପ୍ରମାଣ ଦିଅନ୍ତୁ। କିଏ କାହା ନାମରେ କଲେକ୍ସନ୍‌ କରିଛନ୍ତି, ଧରାପଡ଼ିଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ