ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଦଳୁଛି ପାଣିପାଗ । ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ ଉପରେ ରେକର୍ଡ ହୋଇଛି । ଜି. ଉଦୟଗିରିରେ ସର୍ବନିମ୍ନ ୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଏହାସହ ରାଜ୍ୟର ୮ଟି ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀ ସେଲସିଅସ ଉପରେ ରହିଛି । ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ ୩୧.୮ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଛି । ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ଦେଖାଦେଇଥିବା ବେଳେ, ଆଗାମୀ ୨୪ ଘଣ୍ଟା ପାଇଁ କୁହୁଡ଼ିକୁ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ଭୋର ଓ ସକାଳ ସମୟରେ ଉପକୂଳ ଓଡ଼ିଶା ସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଗଞ୍ଜାମ, ନୟାଗଡ଼ ଓ ଜାଜପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ଆଶଙ୍କା ରହିଛି । ସେହିପରି ଗଞ୍ଜାମ, ଗଜପତି ଓ କୋରାପୁଟ ଭଳି ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଭୋର ସମୟରେ ହାଲୁକାରୁ ମଧ୍ୟମ ମାତ୍ରାର କୁହୁଡ଼ି ଦେଖାଦେବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିଅସ ବଢ଼ିବାର ସମ୍ଭାବନା ରହିଥିବାବେଳେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ିର ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

