Friday, April 3, 2026
27 C
Odisha

    ରାଜ୍ୟସ୍ତରୀୟ କୃଷକ ଦିବସ: ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଲେ ୫୧ ଲକ୍ଷ ଚାଷୀ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ବିଭିନ୍ନ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ଚାଷୀମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି.ଏମ୍ କିଷାନ ଯୋଜନାରେ ରାଜ୍ୟର ୫୦, ୧୬, ୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯, ୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨, ୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ଋତୁ ପାଇଁ ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସମୁଦାୟ ୫୧ ଲକ୍ଷ ଚାଷୀ ଏହି ସହାୟତା ରାଶି ପାଇଛନ୍ତି। ଏଥିରେ ସହରାଞ୍ଚଳର ୨୫, ୫୩୨ ଜଣ ଚାଷୀ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଗୁଆ ସହାୟତା ପ୍ରଦାନ କରାଯାଉଥିବା ଯୋଗୁଁ ଏହି ରାଶି ରାଜ୍ୟର ଚାଷୀ ଭାଇମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

    କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ସମୟରେ ଆମ ଦେଶର ପ୍ରାୟ ୩୩ କୋଟି ଜନତାଙ୍କୁ ଆମେ ଖାଦ୍ୟ ଦେବାରେ ଅସମର୍ଥ ଥିଲୁ। କିନ୍ତୁ ଆଜି ଆମ ଦେଶ ଖାଦ୍ୟ ଶସ୍ୟ ତଥା ଅନ୍ୟ ଖାଦ୍ୟ ପଦାର୍ଥ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ କୃଷିଜାତ ସାମଗ୍ରୀ ରପ୍ତାନୀ ମଧ୍ୟ କରୁଛି। ବର୍ତ୍ତମାନ ଭାରତ କୃଷି ଏବଂ ଆନୁଷଙ୍ଗୀକ କୃଷି ଉତ୍ପାଦ ରପ୍ତାନୀ କରିବାରେ ଏକ ପ୍ରମୁଖ ରାଷ୍ଟ୍ର। ୨୦୧୪ ମସିହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠୁ ଦେଶରେ କୃଷି ଓ କୃଷକ କଲ୍ୟାଣକୁ ଏକ ନୂତନ ଦିଶା ଓ ଦଶା ମିଳିଛି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନୀଧି, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, କୃଷି ଭିତ୍ତିଭୂମି ଆଦିର ବିକାଶ ପ୍ରଭୃତି କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି ହୋଇଛି।

    ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମ ସରକାର ଆସିବା ପରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ। ପୂର୍ବ ସରକାର ଏମ.ଏସ୍.ପି ପାଇଁ କେବଳ ବିଧାନସଭାରେ ଏକ ରିଜୋଲ୍ୟୁସନ ଆଣି ଚୁପ୍ ରହିଗଲେ। ଆମେ କଥା ଦେଇଥିଲୁ, କଥା ରଖି ୩, ୧୦୦ ଟଙ୍କା ଏମ.ଏସ୍.ପି ଦେଲୁ। ଚାଷୀଙ୍କ ପାଇଁ ଭାବନା ଭଲ ରହିବା ଉଚିତ୍। ସେତେବେଳେ ଇଛା ଶକ୍ତିର ଅଭାବ ଥିଲା, ଏବେ ଆମ ପାଖରେ ଚାଷୀଙ୍କ ଉନ୍ନତି ପାଇଁ ଇଛା ଶକ୍ତି ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓୟୁଏଟିର ବରମୁଣ୍ଡା କୃଷି ଶୈକ୍ଷିକ ଫାର୍ମଠାରେ ଓଡ଼ିଆ ପରମ୍ପରା ଅନୁଯାୟୀ ପାରମ୍ପରିକ ହଳ ଲଙ୍ଗଳରେ ଅଖିମୁଠି ଅନୁକୂଳ କରିଛନ୍ତି। ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଦ୍ୱାରା ୧୯୨୧ ମସିହାରେ ରଚିତ ‘କୃଷକ ସଂଗୀତ ପୁସ୍ତକ’ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସ୍ୱଭାବ କବିଙ୍କ ବଂଶଧର ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ତା’ର ଚାଷ କାର୍ଯ୍ୟ ଆଗକୁ ନେଇଥାଏ। ଆମେ ଯାହା ଖାଉଛେ ତାକୁ ଜଣେ ଚାଷୀ ଉତ୍ପାଦନ କରିଥାଏ, ସେହି ଚାଷୀମାନଙ୍କ ସହିତ ଆମ ସରକାର ସବୁବେଳେ ଠିଆହେବ। କୃଷି ଓ କୃଷକଙ୍କୁ ମାର୍କେଟ୍ ଯୋଗାଇଦେବା ସହିତ ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟଦେବା ପାଇଁ ଆମ ସରକାର ସର୍ବଦା କାମ କରୁଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ, ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ