ଭଦ୍ରକ: ରାମନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର । ରାମନବମୀ ପୂର୍ବରୁ ଶ୍ରୀରାମ ମାହଯଜ୍ଞ ସମିତି ପକ୍ଷରୁ ଗଣଦୌଡ଼, ବାଇକ ଶୋଭାଯାତ୍ରା, ହିନ୍ଦୁ ନବବର୍ଷ, ଗୋ-ପୂଜନ, ସାଧୁ, ସନ୍ଥ ସମ୍ମିଳନୀ ପରେ ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଶୋଭାଯାତ୍ରାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରା ଗାନ୍ଧୀ ପଡ଼ିଆରୁ ଆରମ୍ଭ ହୋଇ ବାଇପାସ ଛକ ଦେଇ ସହର ପରିକ୍ରମା କରିଥିଲା । ଏଥିରେ ଶହ ଶହ କୁନି କୁନି ଶ୍ରୀରାମ ଭକ୍ତମାନେ ସାମିଲ ହୋଇଥିଲେ । ସାରା ସହର ଗେରୁଆମୟ ହୋଇଥିବା ବେଳେ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଲା ପରିବେଶ । ପବିତ୍ର ଶ୍ରୀ ରାମ ନବମୀ ପାଇଁ ଉତ୍ସବ ମୁଖରିତ ଭଦ୍ରକ ସହର । ଗେରୁଆ ପତାକାରେ ଅଚ୍ଛାଦିତ ହୋଇ ଯାଇଛି ଭଦ୍ରକର ରାସ୍ତାଘାଟ ।
ଭଦ୍ରକରେ ଧୂମଧାମରେ ପାଳନ ହେବ ରାମ ନବମୀ । ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି। ରାମ ନବମୀ ଅବସରରେ ମାତୃଭୂମି ପାଇଁ ଗଣଦୌଡ଼ ଓ ସାଧୁସନ୍ଥ ସମ୍ମିଳନୀ କରାଯିବ । ୨୫ ତାରିଖରେ ମହିଳାଙ୍କ ଦ୍ବାରା ବିଶାଳ କଳସ ଶୋଭାଯାତ୍ରା କରାଯିବ । ଅଯୋଧ୍ୟାରୁ ଆଜ୍ଞାମାଳ ଆସିବା ପରେ ୩ଦିନ ବ୍ୟାପୀ ନାମଯଜ୍ଞ ହେବ । ୨୬ ତାରିଖରେ ୧୦୮ ହନୁମାନ ଚାଳିଶା ପାଠ କରାଯିବ ।
ପରେ ୨୭ ତାରିଖରେ ୧୨ କିଲୋମିଟର ପର୍ଯ୍ୟନ୍ତ ବିଶାଳ ନଗର ସଙ୍କୀର୍ତ୍ତନ କରାଯିବ ବୋଲି ପ୍ରେସମିଟରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସମିତିର ସଭାପତି ନିତ୍ୟାନନ୍ଦ ନାୟକ, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ଥିଲେ।
