ନୂଆଦିଲ୍ଲୀ : ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ଏବେ ଏକା ସହ ଯିବା ଆସିବା ଟ୍ରେନ୍ ଟିକେଟ୍ ବୁକ୍ କରିଲେ ମିଳିବ ୨୦% ଡ଼ିସକାଉଣ୍ଟ । ଦେଶ ଭିତରେ ଯେତେବେଳେ କାହାକୁ ଦୂର ଯାତ୍ରା କରିବାକୁ ପଡ଼େ ଲୋକମାନେ ସାଧାରଣତଃ ଟ୍ରେନ୍ କୁ ହିଁ ବାଛିଥାନ୍ତି । କାରଣ ଟ୍ରେନ ଯାତ୍ରା ଆରାମଦାୟକ ହୋଇଥାଏ । ଭାରତୀୟ ରେଳ ବିଷୟରେ କହିବାକୁ ଗଲେ, ପ୍ରତିଦିନ ପ୍ରାୟ ଅଢ଼େଇ କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି । ଭାରତୀୟ ରେଳପଥ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା ।
ଭାରତୀୟ ରେଳବାଇ ଅନେକ ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ନିୟମ ଓ ବ୍ୟବସ୍ଥା ଆଣିଥାଏ । ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯୋଜନା କରୁଛି । ନିକଟରେ ରେଳବାଇ ଏକ ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍ ଯୋଜନା ଘୋଷଣା କରିଛି । ଯାହା ଅଧୀନରେ ରିଟର୍ନ ଜର୍ନିରେ ୨୦% ଡ଼ିସକାଉଣ୍ଟ ଦିଆଯିବ । ଏହି ଯୋଜନା ବର୍ତ୍ତମାନ ପାଇଁ ପରୀକ୍ଷାମୂଳକ ଭାବରେ କାର୍ଯ୍ୟକାରୀ କରାଯିବ । ଯାହା ଦ୍ଵାରା ଏହାର ପ୍ରଭାବ ଏବଂ ଯାତ୍ରୀଙ୍କ ପ୍ରତିକ୍ରିୟା ମୂଲ୍ୟାଙ୍କନ କରାଯାଇପାରିବ ।
ଫେଷ୍ଟିଭାଲ ସିଜିନରେ ଭିଡ଼କୁ ପରିଚାଳନା କରିବା ଏବଂ ଯାତ୍ରୀମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବା ପାଇଁ ରେଳବାଇ ଏହି ‘ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍’ ଯୋଜନା ଘୋଷଣା କରିଛି । ଏହି ଯୋଜନା ଅନୁଯାୟୀ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରିଟର୍ନ ଜର୍ନି ବୁକ୍ କରୁଥିବା ଯାତ୍ରୀମାନଙ୍କୁ ଫେରିବା ଟିକେଟର ମୂଳ ଭଡ଼ାରେ ୨୦% ଡ଼ିସକାଉଣ୍ଟ ମିଳିବ । ଏହି ଯୋଜନା ୧୪ ଅଗଷ୍ଟ ୨୦୨୫ ରୁ ଆରମ୍ଭ ହେବ । ଏହା ଅଧୀନରେ, ପ୍ରଥମେ ପରବର୍ତ୍ତୀ ଯାତ୍ରା ପାଇଁ ଟିକେଟ୍ ୧୩ ଅକ୍ଟୋବର ୨୦୨୫ ରୁ ୨୬ ଅକ୍ଟୋବର ୨୦୨୫ ମଧ୍ୟରେ ବୁକ୍ କରିବାକୁ ପଡିବ ।
ଏହା ପରେ, ‘କନେକ୍ଟିଂ ଜର୍ନି ଫିଚର୍’ ମାଧ୍ୟମରେ ୧୭ ନଭେମ୍ବର ୨୦୨୫ ରୁ ୧ ଡିସେମ୍ବର ୨୦୨୫ ମଧ୍ୟରେ ରିଟର୍ନ ଜର୍ନି ଟିକେଟ୍ ବୁକ୍ କରାଯାଇପାରିବ । ଏହି ନୂଆ ଯୋଜନାରେ ଡ଼ିସକାଉଣ୍ଟ କେବଳ ସେତେବେଳେ ମିଳିବ ଯେତେବେଳେ ଉଭୟ ପାର୍ଶ୍ୱର ଟିକେଟରେ ସମାନ ଯାତ୍ରୀଙ୍କ ନାମ ଥିବା ଏବଂ ଆପଣଙ୍କ ଟ୍ରେନ ଟିକେଟ୍ ମଧ୍ୟ କନଫର୍ମ ହୋଇଥିବ । ରିଟର୍ନ ଟିକେଟ ବୁକିଂ ପାଇଁ ଆଡଭାନ୍ସ ରିଜର୍ଭେସନ ପିରିୟଡ୍ ଲାଗୁ ହେବ ନାହିଁ । କେବଳ ରିଟର୍ନ ଜର୍ନିର ମୂଳ ଭଡ଼ା ଉପରେ ହିଁ ଆପଣଙ୍କୁ ଡ଼ିସକାଉଣ୍ଟ ଦିଆଯିବ । ରେଳବାଇ କହିଛି ଯେ ଏହି ଯୋଜନା ବର୍ତ୍ତମାନ ପରୀକ୍ଷାମୂଳକ ଭାବରେ କାର୍ଯ୍ୟକାରୀ କରାଯାଇଛି । ଯାହା ଦ୍ଵାରା ପର୍ବପର୍ବାଣୀ ସମୟରେ ଉଭୟ ପାର୍ଶ୍ୱରେ ଟ୍ରେନଗୁଡ଼ିକୁ ଭଲ ଭାବରେ ବ୍ୟବହାର କରାଯାଇପାରିବ । ତେବେ ଯଦି ରେଳବାଇର ଏହି ଯୋଜନା ସଫଳ ଭାବରେ କାର୍ଯ୍ୟକାରୀ ହୁଏ ଆଗାମୀ ସମୟରେ ଏହା ଟ୍ରେନ ଯାତ୍ରୀଙ୍କ ପାଇଁ ବେଶ ଉପଯୋଗୀ ହେବ ।