ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ସହିତ ଅନେକ ପ୍ରକାରର ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ ହୋଇଥାଏ । ଫଳ ଏବଂ ପନିପରିବା ଖାଇବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି । ସତେଜ ଫଳ ଏବଂ ସବୁଜ ପନିପରିବା ଶିଶୁ, ଗର୍ଭବତୀ ମହିଳା, ଅସୁସ୍ଥ ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ । ଯାହା ଦ୍ୱାରା ସେମାନଙ୍କର ମାନସିକ ବିକାଶ ଭଳି ଅନେକ ରୋଗରୁ ରକ୍ଷା କରିଥାଏ ।
ସମସ୍ତ ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ସେହିପରି ନାସପାତି ମଧ୍ୟ ଏକ ଋତୁକାଳୀନ ଫଳ । ଆପଣମାନେ ହୁଏତ ପ୍ରତିଦିନ ସେଓ ଖାଉଥିବେ । କିନ୍ତୁ ପ୍ରତିଦିନ ନାସପାତି ଖାଉଥିବା ଲୋକ ଖୁବ୍ କମ୍ । ସେଓ ଭଳି ଆଉ ଏକ ଫଳ ହେଉଛି ନାସପାତି । ଯାହାକୁ ପିୟର୍ସ ମଧ୍ୟ କୁହାଯାଏ । ଏଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଅନ୍ୟ ଫଳ ତୁଳନାରେ ନାସପାତି ଅଧିକ ଫାଇଦା ଦେଇଥାଏ ।
ଆଧ୍ୟାତ୍ମିକ ଭାବନା ସହିତ ମଧ୍ୟ ନାସପାତି ଯୋଡି ହୋଇ ରହିଛି । ଭଗବାନ ଶିବଙ୍କୁ ନାସପାତି ଅର୍ପଣ କରାଯାଇଥାଏ । ବର୍ଷା ଋତୁରେ ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ଯାହା ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ ହୋଇଥାଏ । ନାସପାତି ଖାଇବାର ଲାଭ ଏବଂ ଏଥିରୁ କେଉଁ ସବୁ ଭିଟାମିନ୍ ମିଳିଥାଏ ତେବେ ଆସନ୍ତୁ ଜାଣିବା ।
ଭାରତରେ ଚାଷ ହେଉଥିବା ଏକ ଦେଶୀୟ ଫଳ ହେଉଛି ନାସପାତି । ଯାହାର ସ୍ବାଦ ସମ୍ପୂର୍ଣ୍ଣ ଭିନ୍ନ । ଯାହାର ସ୍ବାଦ ଖଟା ଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ । ଯାହା ସୁସ୍ଥ ଶରୀର ଗଠନ କରିବାରେ ସାହାଯ୍ୟ କରିଥାଏ ।
ନାସପାତିରେ ଭିଟାମିନ୍ ସି ଥିବାରୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାଯ୍ୟ କରିଥାଏ । ଓଜନ ହ୍ରାସ କରିବାର ସବୁଠାରୁ ଭଲ ମାଧ୍ୟମ ହେଉଛି ନାସପାତି । ଏଥିରେ କମ୍ କ୍ୟାଲୋରୀ ଥିବାରୁ ଓଜନ ହ୍ରାସ କରିବାକୁ ସହଜ କରିଥାଏ । ହଜମ ପ୍ରକ୍ରିୟା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଯେଉଁମାନଙ୍କର ପାଚନ ସମସ୍ୟା ରହିଛି ସେମାନେ ନାସପାତି ଖାଇବା ନିହାତି ଆବଶ୍ୟକ ।
ଆଣ୍ଟିଅକ୍ସିଡାଣ୍ଟ ଗୁଣ ଏଥିରେ ଥିବାରୁ ଏହା ସୁସ୍ଥ ହାର୍ଟ ପାଇଁ ଫଳପ୍ରଦ ହୋଇଥାଏ । ନାସପାତିରେ ବହୁ ପରିମାଣରେ ଲୌହ ଥିବାରୁ ରକ୍ତହୀନତାର ଅଭାବ ପୂରଣ କରିଥାଏ । ଚର୍ମ ଏବଂ ହାଡ ସମସ୍ୟା ପାଇଁ ଏହାକୁ ହିତକର ବୋଲି ବିବେଚନା କରାଯାଏ । ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ ।
ଖାଇବାର ମଧ୍ୟ ଗୋଟିଏ ସଠିକ୍ ଉପାୟ ଥାଏ । ଯଦି ଆମେ ସେହି ଉପାୟକୁ ଫଲୋ ନକରୁ ତେବେ ଅନେକ ଯନ୍ତ୍ରଣା ସହିବାକୁ ପଡିଥାଏ । ସେହିପରି ନାସପାତି ଖାଇବାର ମଧ୍ୟ ଉପାୟ ରହିଛି । ନାସପାତିକୁ ଭଲ ଭାବରେ ଧୋଇବା ପରେ ଖାଇବା ଉଚିତ୍ । ଯଦି ଆପଣ ନାସପାତିର ଚୋପାକୁ ସଠିକ୍ ଭାବରେ ଚୋବାନ୍ତି ନାହିଁ, ତେବେ ଏହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ଏବଂ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
ପ୍ରତ୍ୟେକ ଜିନିଷ ଅଧିକ ପରିମାଣର ଖାଇବା ଦ୍ବାରା କ୍ଷତିକାରକ ହୋଇଥାଏ । ଏହା ବ୍ୟତୀତ କିଛି ଲୋକଙ୍କ ପାଇଁ ମଧ୍ୟ ଅହିତକର ହୋଇଥାଏ ।
ଯଦି ଆପଣଙ୍କର ଗଳା ଯନ୍ତ୍ରଣା, ଥଣ୍ଡା, ଜ୍ୱର ହେଉଛି ତେବେ ନାସପାତି ଖାଆନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ନାସପାତି ଉପକାରୀ, କିନ୍ତୁ ସେଗୁଡିକ ସୀମିତ ପରିମାଣରେ ଖାଇବା ଉଚିତ୍ । ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି ନାସପାତିର ଅତ୍ୟଧିକ ବ୍ୟବହାର ଦ୍ୱାରା ହୃଦସ୍ପନ୍ଦନ, ମୁଣ୍ଡ ବୁଲାଇବା, ବାନ୍ତି ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇପାରେ ।