ଲଦାଖ : ଲଦାଖରେ ବ୍ୟାପକ ହିଂସା ପରେ କର୍ଫ୍ୟୁ ଜାରି ହୋଇଛି । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ପ୍ରଦର୍ଶନ କରାଯାଉଛି । ଲେହ, କାରଗିଲ ଭଳି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି। ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ହିଂସାରେ ସଂପୃକ୍ତ ଅଭିଯୋଗରେ ୫୦ ଜଣଙ୍କୁ ଅଟକ ରଖାଯାଇଛି ।
ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ପାଞ୍ଚ ଜଣରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ନିଷେଧାଦେଶ ଲାଗୁ ହୋଇଛି । ଶୋଭାଯାତ୍ରା, ରାଲିକୁ ନିଷିଦ୍ଧ କରାଯାଇଛି ।
ଗତକାଲି ଲଦାଖକୁ ରାଜ୍ୟ ମାନ୍ୟତା ଓ ସମ୍ବିଧାନର ଷଷ୍ଠ ତାଲିକାରେ ଅନ୍ତର୍ଭୁକ୍ତ ଦାବିରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ବନ୍ଦ ବେଳେ ଆନ୍ଦୋଳନକାରୀମାନେ ବିଜେପି କାର୍ଯ୍ୟାଳୟ ପୋଡ଼ି ଦେଇଥିଲେ । ବିଭିନ୍ନ ସ୍ଥାନରେ ଛାତ୍ର ଓ ପୁଲିସ ବାହିନୀ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୨ ଜଣ ଆହତ ହୋଇଛନ୍ତି । ଉତ୍ତେଜନା ଜାରି ରହିଥିବା ବେଳେ ଆଜି କାରଗିଲ ବନ୍ଦ ଡାକରା ଦିଆଯାଇଛି ।
ଏପଟେ ଲଦାଖ ହିଂସା ନେଇ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେପିର ପ୍ରତିଶ୍ରୁତି ଓ ବେକାରୀ ସମସ୍ୟା ଯୋଗୁଁ ଯୁବକ ଉତ୍ତେଜିତ ହୋଇପଡିଥିବା ଅଭିଯୋଗ କରିଛନ୍ତି । ୨୦୨୦ ମସିହା ବିଜେପିର ଇସ୍ତାହାରରେ ଷଷ୍ଠ ତାଲିକା ସୁରକ୍ଷାକୁ ମୁଖ୍ୟ ଅଗ୍ରାଧିକାର ଏବଂ ହଜାର ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ପ୍ରଦାନ କରିବାର ସ୍ପଷ୍ଟ ପ୍ରତିଶ୍ରୁତି ଦିଆଯାଇଥିଲା । ନା ସୁରକ୍ଷା ପ୍ରଦାନ କରିଛି ନା ନିଯୁକ୍ତି ସୁଯୋଗ ଦେଇଛି ବୋଲି ୱାଙ୍ଗଚୁକ ଅଭିଯୋଗ କରିଛନ୍ତି । ଏପଟେ ଘଟଣା ପାଇଁ ୱାଙ୍ଗଚୁକଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ସରକାର ଓ ବିଜେପି । ତାଙ୍କ ଉତ୍ତେଜନାମୂଳକ ଭାଷଣ” ଲୋକଙ୍କୁ ଉସକାଇଥିବା କୁହାଯାଇଛି । ବିକ୍ଷୋଭକାରୀ ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଛାତ୍ରମାନେ ପୋଲିସ ସହିତ ସଂଘର୍ଷ କରିଥିଲେ । ବିକ୍ଷୋଭକାରୀ କ୍ରୋଧରେ ଲେହର ହିଲ୍ କାଉନସିଲ ବିଲିଡିଂର ପଥରମାଡ଼ କରିଛନ୍ତି । ବିଜେପି ଅଫିସ ସାମ୍ନାରେ ନିଆଁ ଲଗାଛନ୍ତି । ଏକ ସିଆରପିଏଫ ଗାଡ଼ିକୁ ନିଆଁ ଲଗାଇଦେଇଥିଲେ ।