ଜଗତସିଂହପୁର : ୬ ବିଭାଗର ୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ସମବାୟ ବିଭାଗର ହେବ ମଡେଲ ମଣ୍ଡି । ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ପାଇଁ ଖର୍ଚ୍ଚ ହେବ ୩ଶହ କୋଟି ଟଙ୍କା । ମଣ୍ଡିରେ ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ । ଦ୍ବିତୀୟ ପର୍ଯ୍ୟାୟରେ ୬୮ଟି ମଣ୍ଡି ହେବ । ସେହିପରି ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ ।
ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଶ୍ୱସ୍ତରୀୟ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ। ବିମାନ ରକ୍ଷଣାବେକ୍ଷଣ ପାଇଁ ଏୟାରପୋର୍ଟ ଭିତରେ ୪୦ ପ୍ରତିଶତ ସବସିଡିରେ ଜମି ରେଣ୍ଟ ଦେବେ ସରକାର ।
ଏଥିପାଇଁ ମେସର୍ସ ଏୟାର ୱାର୍କସ ଇଣ୍ଡିଆ PVT LTD କମ୍ପାନୀକୁ ଚୟନ କରିଛନ୍ତି ସରକାର । ସେହିପରି ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ସଂଗ୍ରହାଳୟ ପାଇଁ ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର । ରାଜ୍ୟରେ ୧୭ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ଟି ମ୍ୟୁଜିୟମ କରିବାକୁ ସରକାର ଯୋଜନା କରୁଛନ୍ତି । ରାଜ୍ୟରେ ୮ଟି ସରକାରୀ ନର୍ସିଂ କଲେଜ ସହ ୨୧ଟି ଏଏନଏମ ସେଣ୍ଟର ଅଛି । ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।