Wednesday, April 1, 2026
38.4 C
Odisha

    ଶୈଳବାଳା,୧୧୨ ବର୍ଷର ମହିଳା କଲେଜକୁ ମିଳିପାରୁନି ବିଶ୍ବବିଦ୍ୟାଳୟ ମାନ୍ୟତା

    ଆଗକୁ ପଢନ୍ତୁ

    କଟକ   :  ଓଡ଼ିଶାର ପ୍ରଥମ ମହିଳା କଲେଜ ଭାବେ ଶୈଳବାଳା ସ୍ବୟଂଶାସିତ ମହିଳା କଲେଜର ସାରା ଭାରତରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏଠାରୁ ପଢ଼ି ବହୁ ମହିଳା ସମଗ୍ର ଦେଶରେ ନିଜକୁ ସୁପ୍ରତିଷ୍ଠିତ କରିଛନ୍ତି। ରାଜ୍ୟରେ ମହିଳା ଉଚ୍ଚଶିକ୍ଷାର ବିକାଶ ଦିଗରେ ବିଶେଷ ଭୂମିକା ତୁଲାଇ ଆସିଥିବା ଶୈଳବାଳାକୁ ଆଜି ସୁଦ୍ଧା ନ୍ୟାୟ ମିଳିପାରି ନାହିଁ। ୧୯୧୩ ମସିହାରେ ସ୍ଥାପିତ ଓଡ଼ିଶାର ପ୍ରଥମ ମହିଳା କଲେଜକୁ ୨୦୧୭ ମାର୍ଚ୍ଚରେ ୟୁଜିସି ପକ୍ଷରୁ ସ୍ବୟଂଶାସିତ କଲେଜର ମାନ୍ୟତା ମିଳିଥିବା ବେଳେ ନାକ୍‌ ପକ୍ଷରୁ ୨୦୦୬ ଓ ୨୦୧୭ରେ ‘ଏ’ ଗ୍ରେଡ୍‌ ମିଳିଥିଲା। ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ଥିଲେ ବି ଏହାକୁ ଅଣଦେଖା କରାଯାଇ ଆସୁଛି। ବହୁ ବର୍ଷ ଧରି ଉକ୍ତ ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ ଉଦ୍ୟମ କରୁନାହାନ୍ତି। ଶୈଳବାଳା କଲେଜର ବହୁ ପଛରେ ସ୍ଥାପିତ ହୋଇ ଏକାଧିକ କଲେଜ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିବା ବେଳେ ଏହାକୁ ବାରମ୍ବାର ଉପେକ୍ଷା କରାଯିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ୧୯୧୩ରେ ସ୍ଥାପିତ ରାଜ୍ୟର ପ୍ରଥମ ଓ ଦେଶର ଦ୍ବିତୀୟ ମହିଳା କଲେଜ ଭାବେ ଶୈଳବାଳା ସ୍ବୟଂଶାସିତ ମହିଳା କଲେଜର ବହୁ ସୁଖ୍ୟାତି ରହିଛି। ହେଲେ ଏହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ସୁଦ୍ଧା ଉଚିତ ସମ୍ମାନ ପ୍ରଦାନ କରାଗଲା ନାହିଁ। କଲେଜରେ ବର୍ତ୍ତମାନ ୪ହଜାରରୁ ଅଧିକ ଛାତ୍ରୀ ପଢୁଛନ୍ତି। ୨୪ଟି ପାଠ୍ୟକ୍ରମରେ ସମ୍ମାନ ଓ ୨୨ଟି ପାଠ୍ୟକ୍ରମରେ ସ୍ନାତକୋତ୍ତର ରହିଛି। ବିଶ୍ବବିଦ୍ୟାଳୟ ମାନ୍ୟତା ସହିତ କଲେଜ ଖେଳପଡ଼ିଆ ଓ ଦ୍ବିତୀୟ କ୍ୟାମ୍ପସ୍‌ ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଛି, ଯାହା ଆଜି ସୁଦ୍ଧା ପୂରଣ କରାଗଲା ନାହିଁ। ଉତ୍କଳ ଗୌରବ ମଧୁସୂଦନଙ୍କ ବାସଭବନରେ ୧୯୧୩ ମସିହାରେ ପ୍ରତିଷ୍ଠା ହୋଇଥିବା ତଥା ତାଙ୍କ ଝିଅଙ୍କ ନାମରେ ନାମିତ ଶୈଳବାଳା ମହିଳା କଲେଜ ବାରମ୍ବାର ବୈମାତୃକ ମନୋଭାବର ଶିକାର ହୋଇଛି। ଓଡ଼ିଶାରେ ନାରୀ ଉଚ୍ଚଶିକ୍ଷା କ୍ଷେତ୍ରରେ ବି‌ଶେଷ ଭୂମିକା ତୁଲାଇଥିବା ଶୈଳବାଳା ସ୍ବୟଂଶାସିତ ମହିଳା କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଛି ବୋଲି କଲେଜ ପରିଚାଳନା କମିଟି ସଭାପତି ଇଂ. ଡକ୍ଟର ପ୍ରଭାକର ସ୍ବାଇଁ କହିଛନ୍ତି। ଅନ୍ୟପକ୍ଷରେ ରାଜନୈତିକ ଇଚ୍ଛାଶକ୍ତି ନଥିବାରୁ ଉକ୍ତ କଲେଜର ବହୁ ପଛରେ ହୋଇଥିବା କଲେଜଗୁଡ଼ିକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛନ୍ତି। ହେଲେ ଏହି ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ଥାଇ ବି ଶୈଳବାଳାକୁ ଅଣଦେଖା କରାଯାଇଛି। ଏଥିପାଇଁ କଟକର ରାଜନେତା ଓ କଟକବାସୀ ଦାୟୀ ବୋଲି ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ସତ୍ୟକାମ ମିଶ୍ର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ