ପୁରୀ : ସକାଳୁ ସକାଳୁ ଆଜି ପୁରୀ ଶ୍ରୀମନ୍ଦିରରେ ମହାସ୍ନାନ ହୋଇଛି । ସକାଳ ୬.୫୦ ସମୟରେ ମଙ୍ଗଳ ଆଳତୀ ପରେ ମଇଲମ ଚାଲିଥିବା ଅବସ୍ଥାରେ ପାଳିଆ ସେବକଙ୍କୁ ସେବାୟତ ଛୁଇଁଦେବା କାରଣରୁ ଏହି ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ମଇଲମ ନୀତି ଚାଲୁଥିବା ବେଳେ ସେବାୟତ ଆସି ଛୁଇଁ ଦେଇଥିଲେ । ତେବେ ମହାପ୍ରଭୁଙ୍କର ମହାସ୍ନାନ ନୀତି ପାଇଁ ୧ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ତେବେ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଭକ୍ତ ।
ସୂଚନା ଅନୁସାରେ ଗତ ୨ ଦିନ ତଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା । ପାଣିଆ ଆପଟ ସେବକ ପାଣି ନେବା ସମୟେ ପଡ଼ିଯିବାରୁ ବଡ଼ ମହାସ୍ନାନ ହୋଇଥିଲା । ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେତୁ ପ୍ରାୟ ଦୁଇ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ୭ଟା ୫୦ରେ ଅବକାଶ ନୀତି ପରଠାରୁ ଅନ୍ୟାନ୍ୟ ନୀତି ଓ ଦର୍ଶନ ବନ୍ଦ ରହିଥିଲା। ତେବେ ପରେ ପୁଣି ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ କରିଥିଲେ । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଯାଇଥାଏ ।