ସୂଚନା ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଦିତ୍ୟ ଶ୍ରୀମନ୍ଦିର ନିକଟରେ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ପଶ୍ଚିମ ଦ୍ୱାର ନିକଟରେ କେତେକ ସେବାୟତ ଭକ୍ତଙ୍କଠାରୁ ଟଙ୍କା ନେଇ ମନ୍ଦିର ଭିତରକୁ ପ୍ରବେଶ କରାଉଥିବା ଦୃଶ୍ୟ ସେ କ୍ୟାମେରାରେ କଏଦ କରିଥିବା କୁହାଯାଉଛି। ଏହାକୁ କେନ୍ଦ୍ର କରି ଆଦିତ୍ୟ ଓ କେତେକ ସେବାୟତଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ସେବାୟତମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆଦିତ୍ୟ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଶ୍ରୀମନ୍ଦିର ଭଳି ଏକ ସମ୍ବେଦନଶୀଳ ଧାର୍ମିକ ସ୍ଥାନରେ ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗ ହେବା ଘଟଣାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସାମ୍ବାଦିକଙ୍କ ସୁରକ୍ଷା, ନିର୍ଭୟରେ ସମ୍ବାଦ ସଂଗ୍ରହ ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବି ଉଠିଛି।ଏଭଳି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବା ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବାକୁ ଦାବି ହେଉଛି।