ଆସନ୍ତା ୨୮ ତାରିଖରେ ଶ୍ରୀମନ୍ଦିରରେ ପାଳିତ ହେବ ଗହ୍ମା ପୂର୍ଣ୍ଣିମା, ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମ ନୀତି । ଏଥିପାଇଁ ଶ୍ରୀଜିଉଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ପାଟରାଖି। ଶ୍ରୀମନ୍ଦିରର ପାଟରା ବିଶୋୟୀ ସେବାୟତ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ପାଇଁ ୪ଟି ରାଖି ସହ ୪ଟି ଗୁଆମାଳ ପ୍ରସ୍ତୁତ କରୁଛନ୍ତି । ବାସୁଙ୍ଗା ପାଟରେ ଏହି ସ୍ୱତନ୍ତ୍ର ରାଖି ପ୍ରସ୍ତୁତ ହେଉଛି । ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗର ରାଖି ଏବଂ ବଳଭଦ୍ରଙ୍କ ପାଇଁ ନୀଳ ଓ ବାଇଗଣୀ ରଙ୍ଗର ରାଖି ପ୍ରସ୍ତୁତ କରାଯାଉଛି । ପ୍ରତ୍ୟେକ ଗୁଆମାଳରେ ୫୪ଟି ଲେଖାଏଁ ଗୁଆ ରହିବ । ପରମ୍ପରା ଅନୁଯାୟୀ, ଗହ୍ମା ପୂର୍ଣ୍ଣିମା ଅବସରରେ ଭଉଣୀ ସୁଭଦ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କୁ ରାଖି ବାନ୍ଧିଥାନ୍ତି । ଏହି ପରମ୍ପରାକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି ଜୋରଦାର ହୋଇଛି । ରକ୍ଷାବନ୍ଧନ ତିଥିକୁ ନେଇ ରହିଥିବା ଦ୍ୱନ୍ଦ୍ୱ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ୨୮ ତାରିଖରେ ନୀତି ପାଳନ ହେବ ବୋଲି ସ୍ପଷ୍ଟ କରିଛି । ୨୮ ତାରିଖ ସୂର୍ଯ୍ୟୋଦୟ ସମୟରେ ପୂର୍ଣ୍ଣିମା ତିଥି ରହୁଥିବାରୁ ଶ୍ରୀମନ୍ଦିରରେ ସେହିଦିନ ପର୍ବ ପାଳନ କରାଯିବ ।
ଅନ୍ୟପଟେ, ୨୭ ତାରିଖରେ ଦିନତମାମ ପୂର୍ଣ୍ଣିମା ତିଥି ରହୁଥିବାରୁ ସାଧାରଣ ଲୋକେ ସେହିଦିନ ରାଖି ବାନ୍ଧି ରକ୍ଷାବନ୍ଧନ ପାଳନ କରିପାରିବେ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି । ତେବେ ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ସହ ଗହ୍ମା ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ ନୀତି ୨୮ ତାରିଖରେ ହିଁ ପାଳନ ହେବ ।
