Monday, August 24, 2026
24.5 C
Odisha

    କମ୍ ଉତ୍ପାଦନ ସତ୍ତ୍ୱେ ଦେଶରେ ପର୍ଯ୍ୟାପ୍ତ ଚିନି ମହଜୁଦ: ବଢ଼ୁଥିବା ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ, ଲାଗୁ ହେଲା ଷ୍ଟକ୍ ସୀମା

    ଆଗକୁ ପଢନ୍ତୁ

    ପୂର୍ବ ଆକଳନଠାରୁ କମ୍ ଉତ୍ପାଦନ ସତ୍ତ୍ୱେ ଦେଶର ଘରୋଇ ଚାହିଦା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ରହିଛି । ବିଭିନ୍ନ କାରଣରୁ ବଜାରରେ ଚିନି ଦର ବୃଦ୍ଧି ପାଉଥିବା ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି ଯେ ଦେଶରେ ଚିନିର କୌଣସି ଅଭାବ ନାହିଁ । ଖାଉଟିଙ୍କ ଉପରେ ଯେପରି ଅତିରିକ୍ତ ଆର୍ଥିକ ବୋଝ ନପଡ଼ିବ ଏବଂ ବଜାରରେ ଦର ସ୍ଥିର ରହିବ, ସେଥିପାଇଁ ସରକାର ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଚିନି ଦର ବୃଦ୍ଧି ପାଇଁ ଇଥାନଲ୍ ଉତ୍ପାଦନକୁ ଦାୟୀ କରିବା ସମ୍ପୂର୍ଣ୍ଣ ଭୁଲ୍ । ପୂର୍ବରୁ ଇଥାନଲ୍ ଉତ୍ପାଦନ ପାଇଁ ପ୍ରାୟ ୧୨ ପ୍ରତିଶତ ଚିନି ବିନିଯୋଗ ହେଉଥିବା ବେଳେ ୨୦୨୫-୨୬ ବର୍ଷରେ ଏହା ମାତ୍ର ୯ ପ୍ରତିଶତକୁ ହ୍ରାସ ପାଇଛି । ବର୍ତ୍ତମାନ ଦେଶରେ ଉତ୍ପାଦିତ ହେଉଥିବା ମୋଟ ଇଥାନଲ୍‌ର ପ୍ରାୟ ତିନି-ଚତୁର୍ଥାଂଶ (୭୫%) ଶସ୍ୟ, ବିଶେଷକରି ମକାରୁ ପ୍ରସ୍ତୁତ କରାଯାଉଛି । ଫଳରେ ଇଥାନଲ୍ କାରଣରୁ ଚିନି ଯୋଗାଣରେ କୌଣସି ପ୍ରଭାବ ପଡ଼ୁନାହିଁ ।

    ଚଳିତ ଋତୁରେ ଦେଶରେ ମୋଟ ଚିନି ଉତ୍ପାଦନ ପ୍ରାୟ ୩୦୬ ଲକ୍ଷ ଟନ୍ ହେବ ବୋଲି ସରକାର ଆକଳନ କରିଛନ୍ତି । କଳାବଜାରୀ ଓ ଅଯଥା ଦରବୃଦ୍ଧିକୁ ରୋକିବା ପାଇଁ ସରକାର କଡ଼ା ନିୟମ ଲାଗୁ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୧ରୁ ଆଗାମୀ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଚିନି ଡିଲରମାନଙ୍କ ଉପରେ ସର୍ବାଧିକ ୪୦୦ ଟନ୍ ପର୍ଯ୍ୟନ୍ତ ଷ୍ଟକ୍ ସୀମା (Stock Limit) ଧାର୍ଯ୍ୟ କରାଯାଇଛି ।

    ଏହାସହ ବଡ଼ ବ୍ୟବସାୟୀ ଓ ବଲ୍‌କ ଗ୍ରାହକଙ୍କ ପାଇଁ ମଧ୍ୟ ନିୟମ କଡ଼ାକଡ଼ି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୧୫ ଦିନରୁ ଅଧିକ ସମୟ ପାଇଁ କୌଣସି ବଲ୍‌କ ଗ୍ରାହକ ଚିନି ମହଜୁଦ ରଖିପାରିବେ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ବଜାରରେ ଚିନିର ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବା ଏବଂ ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    96 %
    1.8kmh
    98 %
    Mon
    25 °
    Tue
    29 °
    Wed
    29 °
    Thu
    25 °
    Fri
    28 °

    ସମ୍ବନ୍ଧିତ