Thursday, September 10, 2026
24.1 C
Odisha

    ସରକାରଙ୍କୁ ପୁରିଲା ଦୁଇବର୍ଷ, ଦୁଇବର୍ଷରେ ୧୨୧ଟି ନୂଆ ଯୋଜନା ଆରମ୍ଭ କରିଥିବା କହିଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ମୋହନ ମାଝୀ ସରକାରଙ୍କୁ ପୁରିଲା ଦୁଇବର୍ଷ । ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ରାଜ୍ୟରେ ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଦୁଇ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ନିଜର ଉପଲବ୍ଧି ବଖାଣିଛନ୍ତି ମୋହନ ମାଝି । ଗତ ଦୁଇବର୍ଷ ମଧ୍ୟରେ ୧୨୧ଟି ନୂଆ ଯୋଜନା ଆରମ୍ଭ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହା ସହ ଆଗାମୀ ଦିନରେ ନୂଆ ଯୋଜନା ବିଷୟରେ କହିଛନ୍ତି । ରାଜ୍ୟରେ ଶିକ୍ଷାକୁ ପ୍ରକୃତ ଅର୍ଥରେ ସାର୍ବଜନୀନ କରିବା ପାଇଁ କେଜି ରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରିବାକୁ ଘୋଷଣା କରାଯାଇଛି। ଏହାଦ୍ଵାରା ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରୀମାନେ ସର୍ବାଧିକ ଉପକୃତ ହେବେ। ସେହିପରି ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏହି ନୂତନ ଯୋଜନା ଆରମ୍ଭ କରାଯାଇଛି।

    ଏହାଦ୍ୱାରା NFSA ଓ SFSS ର ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମିଳିବ । ଯାହାଫଳରେ ଏଣିକି ଜଣେ ହିତାଧିକାରୀ ମୋଟ ୧୦ କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଏହାଦ୍ୱାରା ରାଜ୍ୟର ପ୍ରାୟ ୩.୨୮ କୋଟି ଲୋକ (୮୦% ଜନସଂଖ୍ୟା) ଉପକୃତ ହେବେ। ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ପ୍ରଥମ କ୍ୟାବିନେଟରେ ମଞ୍ଜୁର ହୋଇଥିବା ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ୨ ବର୍ଷରେ ୨୦,୬୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ଦିଆଯାଇଛି। ଏହା ସହ ୪ ଲକ୍ଷରୁ ଅଧିକ SHG କୁ ବ୍ୟାଙ୍କ ଋଣ ଯୋଗାଇ ଦିଆଯାଇ ୨୩ ଲକ୍ଷ ୫୦ ହଜାର ‘ଲକ୍ଷପତି ଦିଦି’ ସୃଷ୍ଟି କରାଯାଇଛି। ଚାଷୀଙ୍କୁ ‘ଅନ୍ନଦାତା’ର ସମ୍ମାନ ଦେଇ ସମୃଦ୍ଧ ଓଡିଶା ନୀତି ଅଧୀନରେ ରେକର୍ଡ ସଂଖ୍ୟକ ୧୮ ଲକ୍ଷ ୮୩ ହଜାର ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଛି।

    କୃଷି ବିଦ୍ୟାନିଧି ଯୋଜନା ଏବଂ PACS/LAMPCS କୁ ‘ୱାନ୍-ଷ୍ଟପ୍ ଶପ୍’ କେନ୍ଦ୍ରରେ ପରିଣତ କରି ଚାଷୀଙ୍କୁ ସଶକ୍ତ କରାଯାଉଛି। ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି, ପିଇବା ପାଣି ଏବଂ ସବୁଦିନିଆ ସଡକ ଭଳି ମୌଳିକ ସୁବିଧା ପହଞ୍ଚାଇବା ପାଇଁ ‘ମିଶନ ପାୱାର’ ଗଠନ କରାଯାଇଛି। ୨୦୨୭ ଶେଷ ସୁଦ୍ଧା ଏହି ମିଶନ ଜରିଆରେ ସବୁ ଗାଁକୁ ଶତପ୍ରତିଶତ ବିକାଶ ଶରବ୍ୟ କରାଯିବ। ଜାତୀୟ ଶିକ୍ଷା ନୀତି (NEP 2020) କାର୍ଯ୍ୟକାରୀ କରିବା ସହ ପ୍ରତି ପଞ୍ଚାୟତରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୨ ବର୍ଷରେ ୨୬,୬୧୫ ଶିକ୍ଷକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଆଗାମୀ ୩ ବର୍ଷରେ ଆଉ ୪୫,୦୦୦ ଶିକ୍ଷକ ନିଯୁକ୍ତ ହେବେ।

    ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ଫଳରେ ୩ କୋଟି ୪୬ ଲକ୍ଷ ହିତାଧିକାରୀ ଦେଶର ୩୨ ହଜାର ୦୦୦ ପ୍ରତିଷ୍ଠିତ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ପାଉଛନ୍ତି। ଏହା ସହିତ ନୂତନ ମେଡିକାଲ ଏବଂ ଆୟୁର୍ବେଦ କଲେଜ ପ୍ରତିଷ୍ଠା କାମ ଦ୍ରୁତଗତିରେ ଚାଲିଛି। ‘ଉତ୍କର୍ଷ ଓଡିଶା’ ଏବଂ ବିଭିନ୍ନ ନିବେଶ ସମ୍ମିଳନୀ ମାଧ୍ୟମରେ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଗତ ୨ ବର୍ଷରେ ୨.୮୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଂକରାଯାଇ ପ୍ରାୟ ୨ ଲକ୍ଷ ୪୦ ହଜାର ନିଯୁକ୍ତି ସୃଷ୍ଟି କରାଯାଇଛି।

    ରାଜ୍ୟର ସବୁ ଜିଲ୍ଲାକୁ ଶିଳ୍ପାୟନ କରିବା ସରକାରଙ୍କ ଲକ୍ଷ୍ୟ। ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବା ପରେ ଓଡ଼ିଶାର ସାମଗ୍ରୀକ ଦୋଷୀ ସାବ୍ୟସ୍ତ ହାର (Conviction Rate) ପୂର୍ବରୁ ଥିବା ୧୧ ପ୍ରତିଶତରୁ ବୃଦ୍ଧି ପାଇ ୮୭.୬ ପ୍ରତିଶତରେ ପହଞ୍ଚିଛି। ମହିଳା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ ହାର ମଧ୍ୟ ୬୨ ପ୍ରତିଶତକୁ ବୃଦ୍ଧି ପାଇଛି। ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ୨୧,୧୮୬ଟି ନୂଆ ପଦବୀ ସୃଷ୍ଟି ହୋଇଛି। ସେହିପରି ଓଡ଼ିଶାକୁ ଆଗାମୀ ଦିନରେ ‘ସେମିକଣ୍ଡକ୍ଟର ହବ୍’ ଭାବେ ଗଢିବା ପାଇଁ ସ୍ୱତନ୍ତ୍ର ନୀତି ଅଣାଯାଇ ୩ଟି ସେମିକଣ୍ଡକ୍ଟର ଶିଳ୍ପ ଓ ୫ଟି ଗ୍ଲୋବାଲ କାପାବିଲିଟି ସେଣ୍ଟର (GCC) ପ୍ରତିଷ୍ଠା କରାଯାଉଛି। ଭୁବନେଶ୍ୱର ନିକଟରେ ୩୦୦ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ‘ସାଇନ୍ସ ସିଟି’ ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    96 %
    1.4kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ