ଜୟପୁର,୧୬ ।୧ : ରାଜସ୍ଥାନର ଜୟପୁରରେ ଗୁରୁବାର ୭୮ ସେନା ଦିବସ ପରେଡ ଅନୁଷ୍ଠିତ ହୋଇଥିଲା । ପ୍ରଥମଥର ପାଇଁ ସେନା କ୍ଷେତ୍ରର ବାହାରେ ଏହି ପରେଡ ଆୟୋଜିତ ହୋଇଥିଲା । ଜଗତପୁରା ମହଲ ରୋଡ୍ରେ ହଜାର ହଜାର ଲୋକ ସେନାର ଏହି ମନମୋହକ କାର୍ଯ୍ୟକ୍ରମ ଦେଖିଥିଲେ । ଏହି ସମୟରେ ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ପ୍ରଥମ ପାରା ସ୍ପେଶାଲ ଫୋର୍ସର ସୈନିକ ଲାନ୍ସ ନାୟକ ପ୍ରଦୀପ କୁମାରଙ୍କ ମା ତାଙ୍କର ସେନା ପଦକ ଗ୍ରହଣ କରିବା ସମୟରେ ମଞ୍ଚ ଉପରେ ହିଁ ଚେତା ହରାଇଥିଲେ । ସାମରିକ ଅଧିକାରୀମାନେ ତାଙ୍କୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ । ତାଙ୍କୁ ତୁରନ୍ତ ମଞ୍ଚରୁ ଓହ୍ଲାଯାଇ ଆମ୍ବୁଲାନ୍ସ ଯୋଗୁ ହସ୍ପିଟାଲ ନିଆ ଯାଇଥିଲା । ଜୟପୁରର ରାସ୍ତାରେ ବ୍ରହ୍ମୋସ କ୍ଷେପଣାସ୍ତ୍ର, ଭୀଷ୍ମ, ଅର୍ଜୁନ ଟ୍ୟାଙ୍କ, ପିନାକା ଲଞ୍ଚର ଓ ରୋବୋଟିକ କୁକୁର ପ୍ରଦର୍ଶିତ ହୋଇଥିଲା । ଆକାଶରେ ଆଟାକ ହେଲିକପ୍ଟର ଆପାଚେ ଶତ୍ରୁଙ୍କ ଚକିତ କଲା ଭଳି ଷ୍ଟଣ୍ଟ ପ୍ରଦର୍ଶନ କରିଥିଲା । ଜନସାଧରଣ ବିକାନେରର ନାଲ ଏୟାରବେସ୍ରୁ ଉଡିଥିବା ଜାଗୁଆର ଲଢ଼ୁଆ ବିମାନର କ୍ଷମତା ଓ ପରାକ୍ରମ ଦେଖିଥିଲେ । ସେନା ଅଧିକାରୀମାନେ ପରେଡର ନେତୃତ୍ୱ ନେଇଥିଲେ । ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ସୈନିକଙ୍କୁ ସେନା ପଦକ ପ୍ରଦାନ କରାଯିବା ସହିତ ପରେଡ ଆରମ୍ଭ ହୋଇଥିଲା । ଏହାପରେ ସାହସିକତା ପୁରସ୍କାରରେ ସମ୍ମାନିତ ସେନା ଅଧିକାରୀମାନେ ପରେଡ କମାଣ୍ଡରଙ୍କୁ ଅଭିବାଦନ ଜଣାଇଥିଲେ । ଆଶୋକ ଚକ୍ର, ପରମବୀର ଚକ୍ର ଓ ମହାବୀର ଚକ୍ରରେ ସମ୍ମାନୀତ ସେନା ଅଧିକାରୀମାନେ ହିଁ ପରେଡରେ ନେତୃତ୍ୱ ନେଇଥିଲେ ।

