ଲୋକପ୍ରିୟ ସାଉଥ୍ ଅଭିନେତା ଏବଂ ନିର୍ଦ୍ଦେଶକ ଇ.ଏ. ରାଜେନ୍ଦ୍ରନ ୭୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କୋଲାମର ପଟ୍ଟାଥାନମ୍ ସ୍ଥିତ ତାଙ୍କ ବାସଭବନରେ ଅଭିନେତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନର ବାର୍ଦ୍ଧକ୍ୟଜନିତ ରୋଗ ପାଇଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ଅଭିନେତାଙ୍କର ଅନ୍ତିମ ସଂସ୍କାର ଆସନ୍ତାକାଲି ତାଙ୍କ ଜନ୍ମସ୍ଥାନ ତ୍ରିତ୍ତଲ୍ଲୁରରେ କରାଯିବ ।
ଯଦି ତାଙ୍କ କ୍ୟାରିଅର ଜୀବନ କଥା କୁହାଯାଏ ତେବେ ସେ ଖୁବ୍ କମ୍ ବୟସରୁ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ସ୍କୁଲ ସରିବା ପରେ ସେ ନାଟକରେ ଅଭିନୟ କରୁଥିଲେ । କଲେଜ ଶେଷ ହେବା ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) ରେ ନାମ ଲେଖାଇଥିଲେ । ସେ ଅଭିନୟରେ ପ୍ରଥମ ଶ୍ରେଣୀ ଡିଗ୍ରୀ ହାସଲ କରିଥିଲେ ଏବଂ ପରେ ପୁନେର ଫିଲ୍ମ ଇନଷ୍ଟିଚ୍ୟୁଟରେ ପଢୁଥିଲେ । ତାଙ୍କ କ୍ୟାରିଅର୍ ମଧ୍ୟରେ ପ୍ରାୟ ଷାଠିଏଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । “ଗ୍ରୀଷ୍ମମ” ସହିତ ତାଙ୍କର କ୍ୟାରିଅରର ଆରମ୍ଭ କରିଥିଲେ । ସେ ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ଖଳନାୟକ ଏବଂ ସହାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।
