ଭୁବନେଶ୍ୱର, ତା.୨୯/୦୬: ସାଙ୍ଗଠନିକ ନିର୍ବାଚନ ଭାରତୀୟ ଜନତା ପାର୍ଟିର ଡିଏନ୍ଏରେ ଅଛି । ଏନେଇ ବୁଥ୍ସ୍ତରରୁ ଆରମ୍ଭ କରି କେନ୍ଦ୍ରୀୟସ୍ତର ପର୍ଯ୍ୟନ୍ତ ନିର୍ବାଚନ କରାଯାଏ । ଏଥିମଧ୍ୟରେ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ. କେ. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଲାଗି ଦିନ ୧୧ଟାରେ ନୋଟିସ ଜାରି କରାଯାଇ ଅନ୍ତରୀଣ ମତଦାତାଙ୍କ ସୂଚୀ ଦିଆଯାଇଥିଲା । ବିଭିନ୍ନ ଆପତି ଅଭିଯୋଗର ଯାଂଚ କରାଯିବା ପରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇଛି । ଏହି ମତାଦାତାମାନେ ହିଁ ରାଜ୍ୟ ସଭାପତି ଚୟନ କରିବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।
ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ବିଜେପିର ସମ୍ବିଧାନ ଅନୁସାରେ ଏହି ମତଦାତାଙ୍କ ମଧ୍ୟରେ ସାଙ୍ଗଠାନିକ ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ରହିଥିବାବେଳେ ୧୦ ପ୍ରତିଶତ ବିଧାୟକ ଓ ସାଂସଦ ରହିଛନ୍ତି । ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ପାଇଁ ସୋମବାର ପୂର୍ବାହ୍ନ ୧୧ଟାରୁ ୨ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ । ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଆପତି ଅଭିଯୋଗଗୁଡ଼ିକର ଯାଂଚ କରାଯିବା ପରେ ଅପରାହ୍ନ ୪ଟାରେ ଅନ୍ତିମ ନାମାଙ୍କନ ତାଲିକା ପ୍ରକାଶ ପାଇବ । ଜୁଲାଇ ୧ରେ ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ୟରେ ମତଦାନ ଅନୁଷ୍ଠିତ ହେବ । ୧୨ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ । ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ଶ୍ରୀ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ସେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ପହଂଚିବେ । ୨ ଦିନ ପର୍ଯ୍ୟନ୍ତ ତାଙ୍କ ତତ୍ୱାବଧାନରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି ଓ ରାଜ୍ୟ ସମ୍ପାଦକ ସରୋଜ କର ଉପସ୍ଥିତ ଥିଲେ ।