ଏକ ପରିବ୍ରାଜକ ଦଳ ଜଳପଥରେ ଯାତ୍ରା କରୁଥାନ୍ତି । ତାଙ୍କ ପାଖରେ ଖାଦ୍ୟପାନୀୟ ପାଇଁ ସମସ୍ତ ଦ୍ରବ୍ୟ ମହଜୁଦ ଥାଏ । ମାତ୍ର ଦୁଃଖର କଥା, ଅତି ଆବଶ୍ୟକ ଲୁଣ ନେବାକୁ ସେମାନେ ଭୁଲିଯାଇଥନ୍ତି । ବାଧ୍ୟ ହୋଇ ସେମାନେ ତାଙ୍କ ସମସ୍ତ ଯାତ୍ରାପଥର ଖାଦ୍ୟ ବିନା ଲୁଣରେ ଗ୍ରହଣ କଲେ । ସେମାନଙ୍କ ମଧ୍ୟରୁ କାହାରି ମୁଣ୍ଡରେ ବୁଦ୍ଧି ଜୁଟିଲା ନାହିଁ ଯେ, ସେମାନେ ଜାହାଜ ଚାଲୁଥିବା ସମୁଦ୍ରରୁ କିଛି ଜଳ ବ୍ୟବହାର କରି ଲୁଣର ଅଭାବ ପୂରଣ କରିପାରିଥାନ୍ତେ । ହାୟ !
କସ୍ତୁରୀ ମୃଗର ନାଭିଅଂଶରେ କସ୍ତୁରୀ ଗଚ୍ଛିତ ଥାଏ । ଏହି ଲୁକ୍କାୟିତ କସ୍ତୁରୀ ବାସ୍ନାରେ ମୋହିତ ହୋଇ କସ୍ତୁରୀ ସନ୍ଧାନ ପାଇଁ ମୃଗଟି ଇତଃସ୍ତତଃ ଡେଇଁ ବୁଲୁଥାଏ । ଠିକ ସେପରି ଦୁର୍ଲ୍ଲଭ ତଥା ବୁଦ୍ଧିମାନ ମାନବ ତା’ ଜୀବନ କାଳ ମଧ୍ୟରେ ସୁଖର ସନ୍ଧାନ ପାଇଁ ଶୁଖିଲା ଭୂଇଁରେ ଗୋଡହାତ କଚାଡ଼ି କ୍ଷତାକ୍ତ ହୁଏ । ତେଣୁ ବାସ୍ତବରେ କୁହାଯାଏ ଯେ, ସୁଖ ଏକ ଆପେକ୍ଷିକ ଶବ୍ଦ । ଏହାର ପ୍ରକୃତ ସନ୍ଧାନ କରିପାରିଲେ ହେଲା ।
ବେଳେବେଳେ ଏଇ ସୁଖ ସନ୍ଧାନୀ ମଣିଷ ଧନ ଖର୍ଚ କରି ବହୁମୂଲ୍ୟ ପଲଙ୍କ ଓ ନରମ ଗଦି କ୍ରୟ କରିଥାଏ । କିନ୍ତୁ ଚିନ୍ତାଜନିତ ରୋଗରୁ ସୁଖନିଦ୍ରା ଯାଇନପାରି ଛଟପଟ ହୁଏ । ଅର୍ଥ ବିନିଯୋଗ କରି ଦାମୀ ଫ୍ରେମ୍ ଓ କାଚଖଚିତ ଚଷମା କ୍ରୟ କରିଛି ସିନା, ହେଲେ ଦୃଷ୍ଟି ଶକ୍ତି ନଥିଲେ ସବୁ ବେକାର । ତା’ ପାଖରେ ଟଙ୍କା ପଇସାର ଅଭାବ ନାହିଁ, ହେଲେ ରକ୍ତଚାପ, ମଧୁମେହ ଓ ବୃକ୍କ ରୋଗରେ ଆକ୍ରାନ୍ତ ହୋଇ କିଛି ଭଲ ଦ୍ରବ୍ୟ ଖାଇପାରୁନାହିଁ । ତେଣୁ ଖାଲି ଯେ ଅର୍ଥ ମାନବକୁ ସୁଖ ପ୍ରଦାନ କରିଦେଇପାରିବ- ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ଧାରଣା ।
ଝିଅ-ପୁଅ ବିବାହ ହୋଇପାରୁନାହିଁ, ଭଲ ଘର ନାହିଁ, ପୁଅ-ଝିଅ କିପରି ଉଚ୍ଚ ଶିକ୍ଷିତ ହେବେ,କେମିତି ଭଲ ଫ୍ଲାଟ କିଣିବେ, ରାତାରାତି କିପରି ଲକ୍ଷପତିରୁ କୋଟିପତି ହୋଇଯିବେ ଇତ୍ୟାଦି କାମନା,ବାସନା, ଅଭାବ, ଅସୁବିଧା ମଣିଷର ବାସ୍ତବ ସୁଖ ଛଡେଇନିଏ । ଉଚ୍ଚ ଆଶାକରି ଅପ୍ରାପ୍ତିର ଦୁଃଖ ତାକୁ ତିଳତିଳ କରି ମୃତ୍ୟୁ ପୂର୍ବରୁ ଦହନ କରିଚାଲେ।
ଦୁଃଖ ମନ ଭିତରେ ବସା ବାନ୍ଧିଦେଲେ ସୁଖ ଆସି ରହିବାକୁ ବାଟପାଏନି । ଦୁଃଖ ପଡୋଶୀ ହେଲେ ସୁଖ ପରଦେଶୀ ହୋଇଯାଏ । ତେଣୁ ଯେତେବେଳେ ଯାହା ହେବାର ଥିବ ହେବ- ଏଇ ଦର୍ଶନ ନେଇ ଚଳିଲେ ଦୁଃଖ କବଳିତ କରିପାରିବ ନାହିଁ । ଦୁଃଖ ବେଳେ ବିଭିନ୍ନ ସୁଖ, ଶାନ୍ତି, ହସଖୁସିର ଘଟଣା ମନ ମଧ୍ୟକୁ ଆଣି ଦୁଃଖରୂପୀ ଅସୁରକୁ ନିହତ କରିଦେଇ ହେବ । ଦୁଃଖବେଳେ ଦୁଃଖିତ କରୁଥିବା ଘଟଣାକୁ ଭୁଲି କୌଣସି ସର୍ଜନାତ୍ମକ କାମରେ ଲାଗିପଡିଲେ ଭଲ । ଅନ୍ଧାର ନଥିଲେ ଆଲୋକର ଉଜ୍ଜ୍ଵଳତା କେତେ ତାହା ଉପଲବ୍ଧି କରିହେବନାହିଁ । ଖୁବ୍ କ୍ଷୁଧା ଓ ତୃଷା ଜାତ ହେଲା ପରେ ଖାଦ୍ୟ ପାନୀୟ ଗ୍ରହଣ କଲେ ଯଥେଷ୍ଟ ଆତ୍ମସନ୍ତୋଷ ମିଳେ । ଗ୍ରୀଷ୍ମର ଉତ୍ତାପ ସହ୍ୟ କଲାପରେ ଛାୟାର ଶୀତଳତା ଅନୁଭବ କରିହୁଏ । ଠିକ୍ ସେହିପରି ଦୁଃଖ ଭୋଗିବାର କଷ୍ଟ ବାରିପାରିନଥିଲେ ସୁଖର ଆନନ୍ଦ ମଣିଷକୁ ଏତେ ବିଭୋର କରିପାରନ୍ତା ନାହିଁ । ଦୁଃଖ ବା ମାନସିକ ଚାପରେ ଡରି ନଯାଇ, ହାରିନଯାଇ ଦୁଃଖକୁ ସାମ୍ନା କରି ନାୟକର ଭୂମିକା ନିର୍ବାହ କରିବାକୁ ପଡିବ । ନଚେତ ସୁଖ ସନ୍ଧାନୀ ମନୁଷ୍ୟ ସୁଖକୁ ନପାଇ ପଳାତକ ସାଜିବା ସାର ହେବ । ବିଷକୁ ତ୍ୟାଗ କରି ସୁଖ ରୂପୀ ଅମୃତକୁ ସନ୍ଧାନ କରିବା ଓ ପାଇବା ଏ ବୁଦ୍ଧିଜୀବୀ ମାନବ ପକ୍ଷରେ ନିଶ୍ଚିତ ସମ୍ଭବ ।
କାହାଣୀ- ନିରଞ୍ଜନ ପତି