ଭୁବନେଶ୍ୱର : ବଦଳିବ ଖାଦ୍ୟ ପ୍ୟାକେଜିଂ ନିୟମ । ପ୍ୟାକେଟ୍ ଖାଦ୍ୟ ବିକ୍ରି ଓ ପ୍ୟାକେଜିଂକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଅଧିକ ପରିମାଣର ଚର୍ବି, ଚିନି କିମ୍ବା ଲୁଣ ଥିବା ଖାଦ୍ୟ ସାମଗ୍ରୀର ପ୍ୟାକେଟ୍ ସାମ୍ନାରେ ପୃଥକ ସତର୍କତା ଚିହ୍ନ ରଖିବାକୁ କୁହାଯାଇଛି । ଏନେଇ କେନ୍ଦ୍ର ସରକାର ଓ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଜଷ୍ଟିସ୍ ଜେବି ପାର୍ଡିୱାଲା ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।ପ୍ୟାକେଟ୍ ରେ ଷଡ଼ଭୁଜାକାର ସତର୍କତା ଚିହ୍ନ ସହ ଚିତ୍ର ଓ ସମ୍ପୃକ୍ତ ଉପାଦାନର ନାମ ଉଲ୍ଲେଖ ରହିବ ।
ଚର୍ବି, ଚିନି ଓ ଲୁଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିଲେ ଯଥାକ୍ରମେ HIGH FAT, HIGH SUGAR ଓ HIGH SALT ଲେଖାଯିବ । ଯଦି କୌଣସି ଖାଦ୍ୟରେ ତିନୋଟିଯାକ ଉପାଦାନ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥାଏ, ତେବେ ତିନୋଟି ପୃଥକ ସତର୍କତା ଚିହ୍ନ ରହିବ। ପ୍ରତ୍ୟେକ ଚିହ୍ନ ପ୍ୟାକେଟ୍ ର ମୁଖ୍ୟ ପ୍ରଦର୍ଶନ ଭାଗର ୪ରୁ ୫ ପ୍ରତିଶତ ସ୍ଥାନ ନେବ । ନୂଆ ନିୟମ ଲାଗୁ କରିବା ପାଇଁ ନିର୍ଦ୍ଧାରିତ ସମୟସୀମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ଚାରି ମାସ ମଧ୍ୟରେ ଚିଠା ନିୟମାବଳୀ ପ୍ରସ୍ତୁତ କରିବା ସହ ଖାଦ୍ୟ ଉତ୍ପାଦନକାରୀ କମ୍ପାନୀଙ୍କୁ ନିୟମ ପାଳନ ପାଇଁ ଏକ ବର୍ଷ ସମୟ ଦେବାକୁ FSSAI ପ୍ରସ୍ତାବ ରଖିଛି । ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟର ସ୍ପଷ୍ଟ ସଜ୍ଞା ନିର୍ଦ୍ଧାରଣ ଉପରେ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନ ଅଧିକାଂଶ ପ୍ୟାକେଟ୍ ଖାଦ୍ୟର ପଛପଟେ ପୁଷ୍ଟିସାର ସମ୍ପର୍କିତ ତଥ୍ୟ ଛୋଟ ଅକ୍ଷରରେ ଲେଖାଯାଉଛି । ସାଧାରଣ ଗ୍ରାହକଙ୍କ ପାଇଁ ଏହାକୁ ବୁଝିବା ସବୁବେଳେ ସହଜ ହୋଇନଥାଏ ।
ନୂଆ ବ୍ୟବସ୍ଥା ଲାଗୁ ହେଲେ ଗ୍ରାହକମାନେ ଖାଦ୍ୟ କିଣିବା ପୂର୍ବରୁ ସହଜରେ ଏହାର ପୁଷ୍ଟିଗତ ବିପଦ ସମ୍ପର୍କରେ ଜାଣିପାରିବେ।ଅଧିକ ଚିନି, ଲୁଣ ଓ ଚର୍ବିଯୁକ୍ତ ଖାଦ୍ୟର ଅତ୍ୟଧିକ ସେବନ ଯୋଗୁଁ ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦରୋଗର ଆଶଙ୍କା ବଢ଼ିଥାଏ । ବିଶେଷକରି ଶିଶୁ ଓ କିଶୋରଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବ। ତେବେ ନୂଆ ସତର୍କତା ଚିହ୍ନ ତୁରନ୍ତ ବଜାରରେ ଉପଲବ୍ଧ ହେବ ନାହିଁ। ଏଥିପାଇଁ ନିୟମାବଳୀ ଚୂଡ଼ାନ୍ତ କରିବା ସହ ଏହାର କାର୍ଯ୍ୟକାରିତା ପାଇଁ ଆବଶ୍ୟକ ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ ।
