ଭୁବନେଶ୍ୱର : ହୁଳହୁଳି ଓ ଲକ୍ଷ୍ମୀ ପୁରାଣରେ କମ୍ପିଲା ଲୋୟର ପିଏମଜି । ଆନ୍ଦୋଳନକାରୀ ଅଙ୍ଗନବାଡ଼ି କର୍ମୀ ରାସ୍ତାରେ ପାଳିଲେ ମାଣବସା ଗୁରୁବାର । ଦାବି ପୂରଣ ପାଇଁ ପରିବାର ଛାଡ଼ି ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ । ୪ ଦିନ ହେଲା ଖୋଲା ଆକାଶ ତଳେ ଅଙ୍ଗନବାଡ଼ି ଦିଦିଙ୍କ ସଂଘର୍ଷ ।
୭ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଆନ୍ଦୋଳନ ଚଳାଇଛନ୍ତି । ସରକାରୀ ମାନ୍ୟତା ସହ ମାସିକ ୩୦ ହଜାର ଟଙ୍କା ପାରିଶ୍ରମିକ ଦାବି ।
ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ । ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ରାଜ୍ୟ ସରକାରଙ୍କ ବିଳମ୍ବକୁ ବିରୋଧ କରି ସଂଘ ପକ୍ଷରୁ ଏହି ଡାକରା ଦିଆଯାଇଛି । ଆନ୍ଦୋଳନକାରୀଙ୍କ ପକ୍ଷରୁ ଉପସ୍ଥାପିତ ହୋଇଥିବା ପ୍ରମୁଖ ୭ ଦଫା ଦାବିଗୁଡ଼ିକ ମଧ୍ୟରେ ରହିଛି ସରକାରୀ ମାନ୍ୟତା ଓ ପାରିଶ୍ରମିକ ବୃଦ୍ଧି । ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ତୁରନ୍ତ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ। ଯେପର୍ଯ୍ୟନ୍ତ ଏହି ମାନ୍ୟତା ମିଳିନାହିଁ, ସେପର୍ଯ୍ୟନ୍ତ କର୍ମୀଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ମାସିକ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉ ।
ଏହାସହ ୨୦୨୪ ନିର୍ବାଚନ ଇସ୍ତାହାରରେ ଘୋଷିତ ପାରିଶ୍ରମିକ ବୃଦ୍ଧିକୁ ତୁରନ୍ତ ଲାଗୁ କରିବାକୁ ଦାବି ହୋଇଛି । ଏହାସହ ଗ୍ରାଚ୍ୟୁଇଟି ଓ ଅବସରକାଳୀନ ସହାୟତା ଦାବି କରାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସମସ୍ତ କର୍ମୀ ଓ ସହାୟିକାଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରାଯାଉ । ଏଥିସହ ଅବସର ସମୟରେ କର୍ମୀଙ୍କୁ ଏକକାଳୀନ ୧୦ ଲକ୍ଷ ଟଙ୍କା ଏବଂ ସହାୟିକାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ୫୫ ବର୍ଷରୁ ଊର୍ଦ୍ଧ୍ୱ କର୍ମୀମାନଙ୍କର କିମ୍ବା ୬୦ ବର୍ଷ ପରେ ଦୁଇ ବର୍ଷିଆ କାର୍ଯ୍ୟକାଳ ସମ୍ପ୍ରସାରଣ ପାଇଁ କରାଯାଉଥିବା ବାର୍ଷିକ କାର୍ଯ୍ୟଦକ୍ଷତା ସମୀକ୍ଷା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ସମଗ୍ର ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଏକ ସମାନ ନୀତି ପ୍ରଣୟନ କରାଯାଉ । ପ୍ରତିବର୍ଷ ନିୟମିତ ପଦୋନ୍ନତି ପ୍ରକ୍ରିୟା ଲାଗୁ କରିବା ସହ ସହାୟିକାଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ବୟସ ସୀମାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଦାବି ହୋଇଛି । କାର୍ଯ୍ୟରତ ଅବସ୍ଥାରେ କୌଣସି ଅଙ୍ଗନୱାଡ଼ି କର୍ମୀ କିମ୍ବା ସହାୟିକାଙ୍କର ମୃତ୍ୟୁ ଘଟିଲେ, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉ । ଏହାସହ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ଦେବାକୁ ସଂଘ ଦାବି କରିଛି ।
