ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ । POCSO ଆଇନରେ “ରୋମିଓ-ଜୁଲିଏଟ୍” ନିୟମ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଦେଲେ ପରାମର୍ଶ । କୋର୍ଟ କହିଛନ୍ତି, ଅନେକ ସମୟରେ ପକ୍ସୋ ଆଇନକୁ କିଛି ଲୋକ ବ୍ୟକ୍ତିଗତ ପ୍ରତିଶୋଧ ନେବା ପାଇଁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ତେଣୁ ରୋମିଓ-ଜୁଲିଏଟ୍ କ୍ଲଜ୍ ଅଣାଯାଉ। ଯଦି କିଶୋର କିଶୋରୀଙ୍କ ମଧ୍ୟରେ ବୟସର ତାରତମ୍ୟ କମ ଥାଏ ଏବଂ ସମ୍ପର୍କ ପରସ୍ପରର ସହମତିରେ ହୋଇଥାଏ, ତେବେ ତାକୁ ରୋମିଓ-ଜୁଲିଏଟ୍ କ୍ଲଜ୍ ରେ “ଶିଶୁ ଯୌନ ଅପରାଧ” ଶ୍ରେଣୀରେ ରଖାଯିବ ନାହିଁ ।
ଅତିଷ୍ଟ କଲାଣି ପକ୍ସୋ ଆଇନର ଅପବ୍ୟବହାର । ଉଦବେଗ ପ୍ରକାଶ ପରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ । ପକ୍ସୋ ଆଇନରେ ଆସିବ ରୋମିଓ ଜୁଲିଏଟ୍ କ୍ଲଜ୍ । ପ୍ରତିଶୋଧ ନେବା ପାଇଁ ଅସ୍ତ୍ର ଭାବେ ବ୍ୟବହାର ହେଉଛି ପକ୍ସୋ ଆଇନ । ପରିପକ୍ବ ବୟସରେ କିଶୋର-କିଶୋରୀଙ୍କ ମଧ୍ୟରେ ସଂପର୍କ ହେବ ନାହିଁ ଶିଶୁ ଯୌନ ଅପରାଧ ବିବେଚନା ।
ଜାନୁଆରୀ ୯ରେ ଏକ ଐତିହାସିକ ଶୁଣାଣି କରି ଜଷ୍ଟିସ ସଞ୍ଜୟ କରୋଲ ଓ ଜଷ୍ଟିସ ଏନ କୋଟିଶ୍ବର ସଂହଙ୍କ ଖଣ୍ଡପୀଠ କହିଛନ୍ତି, ଶିଶୁ ସୁରକ୍ଷା ପାଇଁ ତିଆରି ହୋଇଥିବା ପକ୍ସୋ ଆଇନକୁ କିଛି ଲୋକ ବ୍ୟକ୍ତିଗତ ପ୍ରତିଶୋଧ ନେବା ପାଇଁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ତେଣୁ ଏହି ଆଇନରେ “ରୋମିଓ-ଜୁଲିଏଟ୍” କ୍ଲଜ୍ ଅଣାଯାଉ । କୋର୍ଟ କହିଛନ୍ତି, ଅନେକ ସମୟରେ କିଶୋର-କିଶୋରୀମାନେ ପରସ୍ପରର ସମ୍ମତିରେ ପ୍ରେମ ସମ୍ପର୍କ ରଖିଥାନ୍ତି ।
କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରିନପାରି ପକ୍ସୋ ଆଇନର ସାହାଯ୍ୟ ନିଅନ୍ତି । ଏହାଦ୍ୱାରା ଅଳ୍ପ ବୟସର ପିଲାମାନେ ଦୀର୍ଘ ସମୟ ଜେଲରେ ରହୁଛନ୍ତି । ଯାହା ସେମାନଙ୍କ ଭବିଷ୍ୟତ ନଷ୍ଟ କରୁଛି । ଏହାକୁ ଦୃଷ୍ଟିରେ ରଖି ରୋମିଓ-ଜୁଲିଏଟ୍ କ୍ଲଜ୍ ଆଣିବା ନେଇ ବିଚାର ପରିବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି ।
ତେବେ କଣ ଏହି ରୋମିଓ-ଜୁଲିଏଟ୍ କ୍ଲଜ୍ ? ଏହି ନିୟମ ଅନୁସାରେ, ଯଦି ଦୁଇଜଣ କିଶୋର-କିଶୋରୀଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ବହୁତ କମ୍ ଥାଏ, ଯେପରିକି ଜଣକୁ ୧୭ ବର୍ଷ ହୋଇଥିଲେ ଅନ୍ୟଜଣକୁ ଯଦି ୧୯ ବର୍ଷ ହୋଇଥାଏ; ଏବଂ ସେମାନଙ୍କ ସମ୍ପର୍କ ପରସ୍ପରର ସମ୍ମତିରେ ହୋଇଥାଏ, ତେବେ ତାହାକୁ “ଶିଶୁ ଯୌନ ଅପରାଧ” ଶ୍ରେଣୀରେ ରଖାଯିବ ନାହିଁ । ଆମେରିକା, ଆୟର୍ଲାଣ୍ଡ ଏବଂ ଫ୍ରାନ୍ସ ଭଳି ଦେଶରେ ଏହି ନିୟମ ପୂର୍ବରୁ ରହିଛି ।
କୋର୍ଟ କହିଛନ୍ତି, ଓକିଲମାନେ ହେଉଛନ୍ତି ନ୍ୟାୟର ଜଗୁଆଳି । ସେମାନେ ଏପରି ମିଛ କିମ୍ବା ପ୍ରତିଶୋଧମୂଳକ ମାମଲାଗୁଡ଼ିକୁ କୋର୍ଟକୁ ଆଣିବା ପୂର୍ବରୁ ନୈତିକ ଭାବେ ରୋକିବା ଉଚିତ । ଜଣେ ସାଧାରଣ ବା ଗରିବ ପୀଡ଼ିତା ଭୟ କିମ୍ବା ଲଜ୍ଜା ଯୋଗୁଁ ନ୍ୟାୟ ପାଇପାରୁ ନଥିବା ବେଳେ, ପ୍ରଭାବଶାଳୀ ଲୋକେ ଏହି ଆଇନକୁ ନିଜର ବ୍ୟକ୍ତିଗତ ଶତ୍ରୁତା ସୁଝାଇବା ପାଇଁ ବ୍ୟବହାର କରୁଛନ୍ତି ।
ଭାରତରେ ପକ୍ସୋ ଆଇନ ଅନୁସାରେ ୧୮ ବର୍ଷରୁ କମ୍ ପିଲାଙ୍କ ସମ୍ମତିର କୌଣସି ମୂଲ୍ୟ ନାହିଁ । କିନ୍ତୁ ବାସ୍ତବ ଜୀବନରେ କିଶୋର ଅବସ୍ଥାର ପ୍ରେମ ସମ୍ପର୍କକୁ ଏହି ଦୃଷ୍ଟିକୋଣରୁ ଦେଖିଲେ ଅନେକ ସମୟରେ ଅନ୍ୟାୟ ହୋଇଥାଏ । ସୁପ୍ରିମକୋର୍ଟଙ୍କ ଏହି ପରାମର୍ଶ ଭବିଷ୍ୟତରେ ଆଇନରେ ବଡ଼ ସଂଶୋଧନ ଆଣିପାରେ ।

