Saturday, October 17, 2026
30.5 C
Odisha

    ରୋମାନିଆରେ KISS ଛାତ୍ରଛାତ୍ରୀ, ପରିବେଷଣ କଲେ ଓଡ଼ିଶାର ଆଦିବାସୀ ନୃତ୍ୟ

    ଆଗକୁ ପଢନ୍ତୁ

     

    ପୂର୍ବରୁ କିସ୍‍ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବିଦେଶୀ ଦେଶ ଗସ୍ତ କରୁଥିଲେ ।  ଏବେ ସେମାନେ ଆଦିବାସୀ ନୃତ୍ୟ ପ୍ରଦର୍ଶନ ଏବଂ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ରୋମାନିଆ ଭଳି ୟୁରୋପୀୟ ଦେଶ ଗସ୍ତ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ୩୦ଟି ଦେଶର ପ୍ରାୟ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। କିସ୍‍ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ସେଠାରେ ଉଚ୍ଚ ପ୍ରଶଂସା କରାଯାଇଛି । ପ୍ରଥମେ ସେମାନେ ରୋମାନିଆର କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ରୋମାନିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡ. ମନୋଜ ମହାପାତ୍ର କିସ୍‍ ଛାତ୍ରଛାତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ। ଡ. ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନେ ସେଠାରେ ରହିବା ସହ କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହା ବ୍ୟତୀତ ସେଠାରେ ସେମାନେ ଆଦିବାସୀ ନୃତ୍ୟ ପ୍ରଦର୍ଶନ ସହ ସାଂସ୍କୃତିକ ବିନିମୟ କରିଥିଲେ ।

    ଏରାସମସ୍‍ ଷ୍ଟୁଡେଣ୍ଟ ମୋବିଲିଟି କାର୍ଯ୍ୟକ୍ରମ ସହାୟତାରେ କିସ୍‍ର ଛାତ୍ରଛାତ୍ରୀମାନେ ଏହି ଦୁଇ ମାସିଆ ଶୈକ୍ଷିକ ଓ ସାଂସ୍କୃତିକ ଇଣ୍ଟର୍ନସିପ୍‌ରେ ଅଂଶଗ୍ରହଣ କରିଛନ୍ତି ।  କିସ୍‍ ଛାତ୍ରଛାତ୍ରୀଙ୍କ ସହ କିଟ୍‍ ୧୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଏହି ଗସ୍ତରେ ଅଛନ୍ତି ।  ପ୍ରଥମ ଥର ପାଇଁ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀମାନେ ଏକାଠି ରୋମାନିଆ ଭଳି ଏକ ୟୁରୋପୀୟ ଦେଶରେ ଏଭଳି କାର୍ଯ୍ୟକ୍ରମରେ ସାମିଲ୍‍ ହୋଇଛନ୍ତି । ସେଠାରେ ସେମାନେ ୨ ମାସ କାଳ ରହିବେ। ସେଠାରେ ସେମାନେ ଓଡ଼ିଶାର ଜନଜାତି ଭାଷାରେ ପ୍ରଖ୍ୟାତ ନାଟ୍ୟକାର ସେକ୍‍ସପିଅରଙ୍କ ନାଟକ ପରିବେଷଣ କରିବେ। ପ୍ରଥମ ଥର ପାଇଁ କୌଣସି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏକ ଅନ୍ତର୍ଜାତୀୟ ମଞ୍ଚରେ ଆଦିବାସୀ ଭାଷାରେ ଶେକ୍ସପିୟରଙ୍କ ନାଟକ ପରିବେଷଣ କରିବେ। ଏହା କିସ୍‍, ଜନଜାତି ସମାଜ ଓ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଉଛି।

    ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉଭୟ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀମାନେ ଏକାଠି ରୋମିଓ-ଜୁଲିଏଟ୍‌, ମ୍ୟାକବେଥ୍‌-ହାମଲେଟ୍ ଉପରେ ଶେକ୍ସପିୟରଙ୍କ ଲିଖିତ ସାନ୍ତାଳୀ ଭାଷାରେ ଅଭିନୟ କରିବେ। ସାନ୍ତାଳୀ ଭାଷା ଓଲ୍ ଚିକି ଲିପି ସଂପ୍ରତି ୧୦୦ ବର୍ଷ ପୂରଣ କରିଛି। ଏହା ସହିତ ଛାତ୍ରଛାତ୍ରୀମାନେ ରୋମାନିଆନ୍ ସଂସ୍କୃତି ଓ ଭାଷା ଉପରେ ପାଠ୍ୟକ୍ରମ ପାଇଁ ଏକ ପ୍ରମାଣପତ୍ର ପାଇବେ।

    ଏଥିରେ ଖୁସିବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିସ୍‍ ଛାତ୍ରଛାତ୍ରୀମାନେ ପୂର୍ବରୁ କ୍ରୀଡ଼ା ଓ ଶିକ୍ଷା ଆଦି କ୍ଷେତ୍ରରେ ଦେଶ ବିଦେଶ ଯାଇ ସୁନାମ ଆଣୁଥିଲେ। ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅନ୍ତର୍ଜାତୀୟସ୍ତରରେ ସୁନାମ ଆଣିବେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    57 %
    2.1kmh
    74 %
    Sat
    28 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ