ନୂଆଦିଲ୍ଲୀ : ଭାରତର ୫୩ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଭୁଟାନ, କେନିଆ, ମାଲେସିଆ, ମରିସସ୍, ନେପାଳ ଓ ଶ୍ରୀଲଙ୍କା ଭଳି ଦେଶର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦେଇଛନ୍ତି । ୧୯୬୨ ଫେବୃଆରୀ ୧୦ରେ ହରିୟାଣାର ହିସାରରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ସୂର୍ଯକାନ୍ତ ୧୯୮୧ରେ ହିସାରର ସରକାରୀ ପୋଷ୍ଟଗ୍ରାଜୁଏଟ୍ କଲେଜରୁ ସ୍ନାତକ ଡିଗ୍ରୀ ଓ ୧୯୮୪ରେ ରୋହତକର ମହର୍ଷି ଦୟାନନ୍ଦ ୟୁନିଭର୍ସିଟିରୁ ଆଇନରେ ସ୍ନାତକ ଡିଗ୍ରୀ ପାସ୍ କରିଥିଲେ। ୨୦୧୧ରେ ସେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟର ଡାଇରେକ୍ଟୋରେଟ୍ ଅଫ୍ ଡିଷ୍ଟାନ୍ସ ଏଜୁକେସନରୁ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୧୯୮୫ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆଇନ ଅଭ୍ୟାସ କରିବାକୁ ଚଣ୍ଡିଗଡ ଚାଲିଆସିଥିଲେ। ଏହି ସମୟରେ ସେ ବିଭିନ୍ନ ବିଶ୍ବବିଦ୍ୟାଳୟ, ବୋର୍ଡ, କର୍ପୋରେସନ, ବ୍ୟାଙ୍କର ଆଇନ ଅଧିକାରୀ ଭାବେ ପ୍ରତିନିଧିତ୍ବ କରିଥିଲେ।

