ତ୍ରେତୟା ଯୁଗର କଥା । ସେତେବେଳେ ତ୍ରିଜଟ ନାମରେ ଜନୈକ ଇଶ୍ଵର ବିଶ୍ଵାସୀ ବ୍ରାହ୍ମଣ ଥିଲେ । ସେ ମଠ ମନ୍ଦିର ଆଦି ଯାଉନଥିଲେ । ଚିତା ତିଳକ ଲଗାଇ ଘଣ୍ଟାଘଣ୍ଟା ଧରି ଈଶ୍ଵରଙ୍କ ଆରାଧନା କରୁନଥିଲେ । କିନ୍ତୁ ତାଙ୍କର ଈଶ୍ଵରଙ୍କ ଉପରେ ଗଭୀର ବିଶ୍ଵାସ ଥିଲା । ଦୁଃଖୀ,ଅସହାୟ,ରୋଗୀ,ଅକ୍ଷମମାନଙ୍କୁ ସେ ଯଥାସାଧ୍ୟ ସାହାଯ୍ୟ କରିଚାଲୁଥିଲେ । ନିଜେ ନଖାଇ ନପିଇ ଭୋକିଲାମାନଙ୍କୁ ଖାଦ୍ୟ ପରଶି ଦେଉଥିଲେ। ଏମିତି ଦେଉଦେଉ ସେ ନିଜେ ଗରିବ ହୋଇଗଲେ । ବୃଦ୍ଧ ବୟସରେ ଉପନିତ ହେବାବେଳକୁ ତାଙ୍କ ପାଖରେ ଖାଦ୍ୟବସ୍ତ୍ରର ଅଭାବ ଦେଖାଦେଲା । ଏପରି ସମୟରେ ସେ ନିରାମୟ ଭଗବାନଙ୍କ ଉପରେ ଗଭୀର ବିଶ୍ଵାସ ରଖି ଜୀବନ ନିର୍ବାହ କରିଚାଲିଥିଲେ । ଏକଦା ସେହି ବ୍ରାହ୍ମଣ କୌଣସି ସୂତ୍ରରୁ ଜାଣିବାକୁ ପାଇଲେ ଯେ, ମହାରାଜା ଦଶରଥଙ୍କ ପୁତ୍ର ରାମଚନ୍ଦ୍ର ଦାନ ଦେଉଛନ୍ତି । ତାଙ୍କ ପାଖରୁ କେହି କେବେ ନିରାଶ ହୋଇ ଫେରି ଆସେନାହିଁ ।
ନିଜେ ଚଳିବା ସହିତ ନିଜ ପାଖକୁ ଆସୁଥିବା ଦୁଃଖୀ, ଅକ୍ଷମ, ଅନାଥଙ୍କ ସେବା ପାଇଁ ସେ କିଛି ପାଇବା ଆଶାରେ ରାମଚନ୍ଦ୍ରଙ୍କ ପାଖକୁ ଯିବାପାଇଁ ମନସ୍ତ କଲେ । ବୃଦ୍ଧାବସ୍ଥା କାରଣରୁ ସେ ଦୁର୍ବଳ ହୋଇପଡ଼ିଥିଲେ । ଧୀରେ ଧୀରେ ଯାଇ ପହଞ୍ଚିଲା ବେଳକୁ ଦାନଦେବା ପାଇଁ ରାମଚନ୍ଦ୍ରଙ୍କ ନିକଟରେ ଟଙ୍କା, ସୁନା, ରୂପା କିମ୍ବା କିଛି ମୂଲ୍ୟବାନ ଧନରତ୍ନ ଆଦି ନଥିଲା । ସେ ସବୁ ଦାନ ଦେବା ଦ୍ଵାରା ଶେଷ ହୋଇଯାଇଥିଲା । ସେତେବେଳକୁ କେବଳ ତାଙ୍କ ପାଖରେ ଗୋରୁ, ଗାଈଙ୍କ ଅଭାବ ନଥିଲା ।
ବୃଦ୍ଧ ବ୍ରାହ୍ମଣ ଗୋରୁଙ୍କୁ ନେଇ କ’ଣ କରିବେ ? ଭାବିଲେ ଶେଷ ଜୀବନରେ ସେ କ’ଣ ନିଜର ସେବା ବ୍ରତରୁ ଓହରି ଯିବେ ! ଯାହାହେଲେ ବି ଗୋରୁଗାଈଙ୍କ ସେବା ଦ୍ଵାରା କିଛି ଧର୍ମ କରିହେବ ବା ସେଇଥିରୁ ତ ତାଙ୍କୁ କିଛି ଦାନ ଦେବାର ଖୋରାକ ମିଳିଯିବ ।
ରାମଚନ୍ଦ୍ର ସେହି ତ୍ରିଜଟ ବ୍ରାହ୍ମଣଙ୍କୁ ଗୋଟିଏ ବାଡି ଦେଇ କହିଲେ- ହେ ବ୍ରାହ୍ମଣ ମହାଶୟ, ଆପଣ ଏହି ବାଡିଟିକୁ ଫୋପାଡନ୍ତୁ । ଏହା ଯେତେଦୂର– ପର୍ଯ୍ୟନ୍ତ ଯାଇପାରିବ, ସେତେ ପର୍ଯ୍ୟନ୍ତ ଆମ ଗୋଶାଳାରେ ଯେତେ ଗୋରୁ,ଗାଈ ଅଛନ୍ତି ସବୁ ଆପଣ ନେଇଯାଇପାରିବେ । ସେସବୁର ମାଲିକ ଆପଣ ହୋଇଯିବେ । କିନ୍ତୁ ସେ ବୃଦ୍ଧ ବ୍ରାହ୍ମଣଙ୍କ ଶରୀରରେ କେତେ ବା ଶକ୍ତି ଅଛି ଯେ ସେ ଏତେ ଓଜନଦାର ବାଡିଟିକୁ କେତେଦୂର ପର୍ଯ୍ୟନ୍ତ ଫିଙ୍ଗିପାରିବେ ! ରାଜପରିଷଦ କର୍ମଚାରୀ ତଥା ପ୍ରଜାବୃନ୍ଦ ନିଜ ନିଜ ମଧ୍ୟରେ ଆଲୋଚନା କରିବାରେ ଲାଗିଲେ । ଦେଖଣାହାରୀ କେହି କେହି ହସିବା ଓ ଥଟ୍ଟା କରିବାକୁ ଲାଗିଲେ । ବୃଦ୍ଧ ବୟସରେ ଜଣେ ଦୁର୍ବଳ ବ୍ୟକ୍ତି ବାଡିଟାକୁ ଫୋପାଡ଼ି ଦୁଇ ଚାରିଟା ଗାଈ ଦାନରେ ପାଇପାରେ କି ନପାରେ ସନ୍ଦେହ।
ବୃଦ୍ଧ ବ୍ରାହ୍ମଣ ତ୍ରିଜଟ ବାଡିଟିକୁ ଉଠାଇଲେ । ସଭିଙ୍କୁ ମନେହେଉଥାଏ ତାଙ୍କୁ ବାଡିଟି ଖୁବ୍ ଓଜନିଆ ଲାଗୁଛି । ମାତ୍ର ହାତ ବୁଲାଇ ସେ ଖୁବ୍ ସହଜରେ ତାକୁ ଆଗକୁ ନିକ୍ଷେପ କଲେ । କି ବିଚିତ୍ର କଥା ! ଆଶ୍ଚର୍ଯ୍ୟଜନକ ଭାବେ ବାଡ଼ିଟି ଯାଇ ସରଯୁ ନଦୀ ଆରପାରିରେ ପଡିଲା । ଯେତେ ଦୂରରେ ପଡିଲା ସେ ପର୍ଯ୍ୟନ୍ତ ପ୍ରାୟ ଏକଲକ୍ଷ ଗୋରୁଗାଈ ଥିବାର ଜଣାପଡିଲା । ରାମଚନ୍ଦ୍ର ଖୁବ୍ ଖୁସି ହୋଇ କହିଲେ- ହେ ପୂଜ୍ୟ ବ୍ରାହ୍ମଣ ମହାଶୟ, ଆପଣ ନିଜେ ଜଣେ ମହାନ ବ୍ୟକ୍ତିତ୍ଵ । ଆପଣ ମୋତେ ଅଦ୍ଭୁତ ପରୀକ୍ଷାର ସମ୍ମୁଖୀନ କରାଇ ନିଜେ ପରୀକ୍ଷାରେ ଜିତି ଯାଇଛନ୍ତି । ଏକଲକ୍ଷ ଗୋରୁଗାଈ ସବୁ ଆପଣଙ୍କର । ଆଜିଠାରୁ ଏମାନଙ୍କର ମାଲିକ ଆପଣ । କେବଳ ସେତିକି ନୁହେଁ ଏଇ ଗାଈଗୋରୁଙ୍କ ସେବା, ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଲୋକ ଓ ଖାଦ୍ୟ ମଧ୍ୟ ଆପଣଙ୍କୁ ଯୋଗାଇ ଦିଆଯିବ ।
ବ୍ରାହ୍ମଣ ତ୍ରିଜଟ ନିଜ ମନରେ ସେବାର ମନୋଭାବ ରଖି, ନିଜପାଇଁ ନଭାବି ପର ସେବାରେ ମନୋନିବେଶ କରିଥିବାରୁ ସେ ପ୍ରଭୁଙ୍କ କୃପା ଏହିପରିଭାବେ ଲାଭ କରିଥିଲେ ।
କାହାଣୀ-ନିରଞ୍ଜନ ପତି