Tuesday, March 17, 2026
31.5 C
Odisha

    ସୋରରେ ପ୍ରେମିକାର ଗଳାକାଟି ହତ୍ୟା ଘଟଣା; ବାସୁଦେବପୁରରୁ ଧରାପଡ଼ିଲା ଅଭିଯୁକ୍ତ ପ୍ରେମିକ

    ଆଗକୁ ପଢନ୍ତୁ

    ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ପ୍ରେମିକାର ଗଳାକାଟି ହତ୍ୟା ଘଟଣାର ଅଭିଯୁକ୍ତ ପ୍ରେମିକକୁ ବାସୁଦେବପୁର ଧଳସାହିରୁ ଗିରଫ କରିଛି ପୁଲିସ। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ବିଶ୍ବରଂଜନ ପୁହାଣ ଫେରାର ଥିଲେ। ପୁଲିସ ଚାରୋଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଖୋଜୁଥିବା ବେଳେ ଆଜି ସକାଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଧଳସାହି ନିକଟ ଏକ ପଡ଼ିଆରୁ ଯୁବକଙ୍କୁ ଗିରଫ କରିଥିଲା। ହତ୍ୟା କରିବା ପରେ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଲୁଚି ବୁଲିଥିବା ବେଳେ ବିଷ ପିଇଦେଇଥିଲେ। ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଓ ପରେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୋର ଥାନା ଏଏସଆଇ ସଂଗ୍ରାମ ବେହେରା, ନନ୍ଦକିଶୋର ବିଶ୍ବାଳ ଓ କେଶବ ଚନ୍ଦ୍ର ବେଶ୍ରା ପ୍ରମୁଖଙ୍କ ଉଦ୍ୟମରେ ଅଭିଯୁକ୍ତ ଧରାପଡ଼ିଥିବା ଜଣାଯାଇଛି।
    ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଥିଲା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଘରେ ପଶି ଜଣେ ଯୁବତୀଙ୍କ ଗଳା କାଟି ହତ୍ୟା କରାଯାଇଛି। ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଜଣେ ଯୁବକ ଏଭଳି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମୃତ ଯୁବତୀ ହେଲେ, ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋତିର୍ମୟୀ। ଗତ ୨୪ ତାରିଖ ଦିନ ୧୧ଟା ସମୟରେ ଜ୍ୟୋତିର୍ମୟୀ ଘରେ ଏକୁଟିଆ ଥିବାବେଳେ ଜଣେ ଯୁବକ ଘର ଭିତରକୁ ପ୍ରବେଶ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, କିଛି ସମୟ ଧରି ଘରଭିତରୁ ପାଟିତୁଣ୍ଡ ଶୁଭିଥିଲା। ତା’ପରେ ଯୁବକ ଜଣଙ୍କ ସେଠାରୁ ପଳାଇ ଯାଇଥିଲେ। ଘଟଣାର ୧୦ରୁ ୧୫ ମିନିଟ୍ ଭିତରେ ପରିବାର ଲୋକ ଫେରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜ୍ୟୋତିର୍ମୟୀ ପଡ଼ିଥିବା ଦେଖିଥିଲେ। ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କଟାଯାଇଥିଲା। ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ। ମାତ୍ର, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
    ଜ୍ୟୋତିର୍ମୟୀଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ କରାଯାଇଥିବା ଅଭିଯୋଗ ଅନୁସାରେ, ସଂପୃକ୍ତ ଯୁବକ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ଭୈରବପୁର ଗ୍ରାମର ବିଶ୍ବରଂଜନ ପୁହାଣ। ଘର ନିକଟ ଏକ ସିସିଟିଭି ଫୁଟେଜ୍ରେ ତାଙ୍କ ଫଟୋ କଏଦ ହୋଇଥିବାରୁ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଥିଲା। ଆହୁରି ମଧ୍ୟ ଜଣାପଡ଼ିଛି ଯେ ଦୁଇଦିନ ତଳେ ବିଶ୍ବରଞ୍ଜନ ତାଙ୍କୁ ହଇରାଣ କରୁଥିବା ଏବଂ ବିବାହ ନ କଲେ ଆତ୍ମହତ୍ୟା କରିବ ବୋଲି ଧମକ ଦେଉଥିବା ନେଇ ଜ୍ୟୋତିର୍ମୟୀ ସୋର ଥାନାରେ ଅଭିଯୋଗ କରିଥିଲେ।
    ସୋର ପୁଲିସ କେସ ନମ୍ବର ୧୬୨/୨୫ରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଛି। ଅଭିଯୁକ୍ତ ବିଶ୍ବରଂଜନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଉଥିବା ବେଳେ ତାଙ୍କର ପତ୍ତା ମିଳିନଥିଲା।
    ଉଲ୍ଲେଖଯୋଗ୍ୟ ଯେ ଉଭୟ ଜ୍ୟୋତିର୍ମୟୀ ଓ ବିଶ୍ବରଂଜନଙ୍କ ମଧ୍ୟରେ ୮ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ବିଶ୍ବରଂଜନ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ ଚାକିରି କରୁଥିବା ବେଳେ ଜାଗୁଆର୍ ସିକ୍ୟୁରିଟି ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା କମିଟିକୁ କହି ସେଠାରେ ଜ୍ୟୋତିର୍ମୟୀଙ୍କୁ ସିକ୍ୟୁରିଟି ସୁପରଭାଇଜର୍ ଚାକିରିରେ ଲଗାଇ ଦେଇଥିଲେ। ପରେ କୌଣସି କାରଣ ପାଇଁ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଗତ ୨ ମାସ ତଳେ ଜ୍ୟୋତିର୍ମୟୀ ଛୁଟିନେଇ ଘରକୁ ପଳାଇ ଆସିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    30 %
    5.1kmh
    80 %
    Tue
    32 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ