ପୁରୀ : ମହାପ୍ରଭୁଙ୍କୁ ନେଇ ପ୍ରସ୍ତୁତ ହୋଇଛି କପୋଳକଳ୍ପିତ ଆନିମେସନ କାହାଣୀ । କଠୋର ହେଲା ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତି। ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ । ୧୦ତାରିଖରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ଜଗନ୍ନାଥ ସଂସ୍କୃତିକୁ ନେଇ ରହିଛି କାଳ୍ପନିକ ଚିତ୍ରଣ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ,ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବିଦ୍ୱାନ ପଣ୍ଡିତମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମଟି ସମ୍ପୂର୍ଣ୍ଣ କାଳ୍ପନିକ ସ୍ୱୀକାର କରିଛି ଏଲି ଏନିମେସନ ପ୍ରାଇଭେଟ୍ ଲିମିଟେଡ ସଂସ୍ଥାର ପ୍ରଯୋଜକ । ଏହା ସହ ରିଲିଜ୍ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହାଦ୍ୱାରା ପ୍ରଚାର ନୁହେଁ ବରଂ ଜଗନ୍ନାଥ ସଂସ୍କୃତିର ଅପମାନ ହେଉଛି ବୋଲି ମତ ରଖିଥିଲେ ପ୍ରଚାର ପ୍ରସାର ଉପସମିତି ସଦସ୍ୟଙ୍କ ସମେତ ସମସ୍ତ ବିଦ୍ୱାନ ଗଣ । ମହାପ୍ରଭୁଙ୍କ ମହିମା ପ୍ରଚାର ପ୍ରସାର ହୋଇପାରିବ କିନ୍ତୁ ସନାତନ ଶାସ୍ତ୍ର ଆଧାର କିମ୍ବା ପ୍ରତିଷ୍ଠିତ ଲୋକମାନ୍ୟ କିମ୍ବଦନ୍ତୀ ଆଧାରରେ ହୋଇପାରିବ କହିଛନ୍ତି ଗଜପତି ଦିବ୍ୟସିଂହ ଦେବ । ଯୁବ ଉଦ୍ୟୋଗୀମାନେ ମହାପ୍ରଭୁଙ୍କ ମହିମା ନେଇ ଛୋଟ ପିଲାଙ୍କ ପାଖରେ ପହଞ୍ଚାଇବା ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଏହା ଧର୍ମ ଶାସ୍ତ୍ର ଆଧାରରେ ହେବା ଉଚିତ୍ ବୋଲି ମତ ରଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ଆଗାମୀ ଦିନରେ ପ୍ରଚାର ପ୍ରସାର କମିଟିର ଡିଜିଟାଲ ମଣ୍ଡଳୀ ଏ ବାବଦରେ ଅଧିକ ଆଲୋଚନା କରିବା ସହ ଏଇଭଳି ଏକାଧିକ ଅପପ୍ରଚାର ରୋକିବା ଦିଗରେ କାମ କରିବ କହିଛନ୍ତି ଗଜପତି ମହାରାଜା ।
