ଅଧିକାଂଶ ଲୋକଙ୍କର ଚା ଏବଂ କଫି ଖୁବ୍ ପ୍ରିୟ ହୋଇଥାଏ । ଅନେକ ଲୋକ ଚା କିମ୍ବା କଫି ସହିତ ସେମାନଙ୍କ ସକାଳର ଆରମ୍ଭ କରିଥାନ୍ତି । ଚା ହେଉ ଅବା କଫି ତେଣିକି ଯାହା ବି ହେଉନା କାହିଁକି ପିଇଦେବା ମାତ୍ରେ ରିଲାକ୍ସ ଏବଂ ଫ୍ରେସ୍ ଅନୁଭବ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଚା ଅପେକ୍ଷା କଫି ପିଇବାକୁ ଲୋକେ ଅଧିକ ପସନ୍ଦ କରିଥାଆନ୍ତି । କଫି ଅପେକ୍ଷା ବ୍ଲାକ୍ କଫି ଶରୀର ପାଇଁ ଅଧିକ ଲାଭକାରୀ ହୋଇଥାଏ ବୋଲି ବିବେଚନା କରାଯାଏ ।
ଆଜିକାଲି ଲୋକଙ୍କ ମଧ୍ୟରେ ବ୍ଲାକ୍ କଫି ପିଇବାର ଅଭ୍ୟାସ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଆମ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଯଦି କଫି ସୀମିତ ପରିମାଣରେ ଏବଂ ସଠିକ୍ ଉପାୟରେ ପିଆଯାଏ, ତେବେ ଏହା ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ବ୍ଲାକ୍ କଫି ଲିଭର ପାଇଁ ବେସ୍ତ ହୋଇଥାଏ । ଏଥି ସହ ଏହା ମୁଣ୍ଡବିନ୍ଧାରୁ ମୁକ୍ତି ଦିଏ ଏବଂ ମେଟାବୋଲିଜିମକୁ ତ୍ୱରାନ୍ୱିତ କରେ । ବ୍ଲାକ୍ କଫି ମଧ୍ୟ ପାଚନ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଆସୁଛି । ଆପଣମାନେ ଜାଣିରଖନ୍ତୁ ଯେ, ଓଜନ ହ୍ରାସ କରିବା ପାଇଁ ମଧ୍ୟ ଲୋକମାନେ ବ୍ଲାକ୍ କଫି ପିଇଥାଆନ୍ତି । ସକାଳେ ଖାଲି ପେଟରେ ବ୍ଲାକ୍ କଫି ପିଇବା ଉଚିତ କି ନାହିଁ? ବ୍ଲାକ୍ କଫି ପିଇବାର ସଠିକ୍ ସମୟ ଏବଂ ଜଣେ ଦିନରେ କେତେ କପ୍ ବ୍ଲାକ୍ କଫି ପିଇବା ଉଚିତ୍ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ଯଦି ଆପଣଙ୍କର ସକାଳେ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାର ଅଭ୍ୟାସ ଅଛି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅହିତକର ହୋଇଥାଏ । ସକାଳେ ଖାଲି ପେଟରେ ଏହା ପିଇବା ଦ୍ବାରା ଆମର ଲାଭ କରିବା ପରିବର୍ତ୍ତେ କ୍ଷତି କରିପାରେ । ଏହା ଗ୍ୟାସ୍, ଏସିଡିଟି, ପେଟ ଫୁଲିବା, କୋଷ୍ଠକାଠିନ୍ୟ,ପାଚନ ସମସ୍ୟା ଭଳି ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ । ବିଶେଜ୍ଞଙ୍କ ମତରେ, ସକାଳେ ଖାଲି ପେଟରେ ବ୍ଲାକ୍ କଫି ପିଇବାଠାରୁ ଦୂରେଇ ରହିବା ଉଚିତ ।
ଖାଲି ପେଟରେ ବ୍ଲାକ୍ କଫି ପିଇବାର ଅସୁବିଧା :
ଖାଲି ପେଟରେ କଫି ପିଇବା ଦ୍ୱାରା ଏସିଡିଟି ଭଳି ସମସ୍ୟା ଦେଖାଦେଇଥାଏ । କଫି ଶରୀରରେ କର୍ଟିସୋଲ ହରମୋନକୁ ବୃଦ୍ଧି କରେ । ଯାହାକୁ ଷ୍ଟ୍ରେସ୍ ହରମୋନ ବୋଲି କୁହାଯାଏ । ଖାଲି ପେଟରେ କଫି ପିଇବା ଦ୍ୱାରା ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ତେଣୁ ସକାଳୁ ଏହି ଅଭ୍ୟାସ କରନ୍ତୁ ନାହିଁ ।
ଯଦି ଆପଣଙ୍କର କଫି କିମ୍ବା ଚା ପିଇବାର ଅଭ୍ୟାସ ଅଛି ତେବେ ସକାଳର ଜଳଖିଆ ପରେ ପିଅନ୍ତୁ । ସକାଳେ ଏକ ହେଲଦି ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ଆପଣ କଫି କିମ୍ବା ଚା ପିଇପାରିବେ । ଫଳରେ କୌଣସି ଅସୁବିଧା ହେବ ନାହିଁ । ତେଣୁ, କଫି ପିଇବାର ସର୍ବୋତ୍ତମ ସମୟକୁ ଜଳଖିଆ ପରେ ବୋଲି ବିବେଚନା କରାଯାଏ । ଏହା ଶରୀରକୁ କ୍ଷତି ପହଞ୍ଚାଏ ନାହିଁ ବରଂ ଲାଭ ଦେଇଥାଏ ।
ବ୍ଲାକ୍ କଫି ଶରୀର ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । କିନ୍ତୁ ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର କ୍ଷତିକାରକ ହୋଇପାରେ । ତେଣୁ, ଆପଣ ଗୋଟିଏ ଦିନରେ ୨ ରୁ ୩ କପରୁ ଅଧିକ ବ୍ଲାକ୍ କଫି ପିଇବା ଉଚିତ୍ ନୁହେଁ । ଏହାଠାରୁ ଅଧିକ କଫି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ ଏଥିପ୍ରତି ସଚେତନ ରହିବା ନିହାତି ଆବଶ୍ୟକ ।
