ସ୍ବାସ୍ଥ୍ୟ ହିଁ ସମ୍ପଦ । ବର୍ତ୍ତମାନ ସମୟରେ ସୁସ୍ଥ ରହିବାକୁ ମଣିଷମାନେ ଅନେକ କିଛି କରିଥାନ୍ତି । କିଏ ଜିମ୍ ଯାଆନ୍ତି ତ ପୁଣି କିଏ ମର୍ଣ୍ଣିଂ ୱାକ୍ କରନ୍ତି ତ ପୁଣି ଆଉ କିଏ କିଏ ଫିଟ୍ ରହିବାକୁ ଡାଏଟ୍ କରନ୍ତି । ରୋଷେଇ ଘରେ ଆମେ ଅନେକ ସମୟରେ ଅନେକ ଜିନିଷ ବ୍ୟବହାର କରିଥାଉ । ଯାହା କେବଳ ଖାଦ୍ୟର ସ୍ବାଦକୁ ବଢାଇ ନଥାଏ ବରଂ ସୁସ୍ଥ ଶରୀର ଗଠନ କରିବାରେ ସାହାଯ୍ୟ କରିଥାଏ । ସେଥି ମଧ୍ୟରୁ ରସୁଣ ଅନ୍ୟତମ । ଯାହାକୁ ମହୋଷଧି ଭାବେ ବିବେଚନା କରାଯାଏ । ରସୁଣରେ ଅନେକ ଉପକାରୀ ତତ୍ତ୍ବ ଭରପୁର ମାତ୍ରାରେ ଥାଏ । ଯାହା ଅନେକ ରୋଗଠାରୁ ମୁକ୍ତି ଦେଇଥାଏ । ସେହିପରି ରସୁଣ ତେଲ ମଧ୍ୟ ଶରୀର ପାଇଁ ପ୍ରଭାବଶଳୀ ବୋଲି ପ୍ରମାଣିତ ହୋଇଛି । ତେବେ ଆସନ୍ତୁ ରସୁଣ ତେଲର ଲାଭ, ପ୍ରସ୍ତୁତି ପଦ୍ଧତି ଏବଂ ଏହାର ବ୍ୟବହାର ସମ୍ପର୍କରେ ଜାଣିବା ।
ହାଡ଼ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ସମସ୍ୟା ସମାଧାନର ଉପାୟ ବତାଇବୁ । ବୟସ ବଢିବା ସହିତ ହାନ ମଧ୍ୟ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ । ଏପରି ପରିସ୍ଥିତିରେ ରସୁଣ ତେଲ ନିୟମିତ ବ୍ୟବହାର କରନ୍ତୁ । ଏହା ମାଲିସ୍ କରିବା ଦ୍ବାରା ହାଡ଼କୁ ମଜବୁତ କରିବାରେ ସହାୟକ କରିଥାଏ । ଆପଣ ଏହି ତେଲକୁ ଆଣ୍ଠୁ, ଅଣ୍ଟା, ପିଠି, ବେକ, ହାତ ଏବଂ ଗୋଡ଼ ଯନ୍ତ୍ରଣା ସମୟରେ ଏହି ତେଲକୁ ବ୍ୟବହାର କରିପାରିବେ । ଏହି ତେଲ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଉପଯୋଗୀ ।
ରସୁଣର ଗରମ ପ୍ରଭାବ ଥାଏ । ଥଣ୍ଡା ପାଗରେ କିମ୍ବା ଶରୀରରେ ଥଣ୍ଡା ଲାଗିଲେ, ରସୁଣ ତେଲରେ ମାଲିସ କରିବା ଦ୍ୱାରା ଶରୀରକୁ ଭିତରୁ ଉଷ୍ମତା ମିଳିଥାଏ ଏବଂ ଥଣ୍ଡାରୁ ରକ୍ଷା ମିଳିଥାଏ । ଯଦି ଆପଣ ଡ୍ୟାଣ୍ଡ୍ରଫ୍ ସମସ୍ୟାରେ ରହିଛନ୍ତି ଏହି ରସୁଣ ତେଲ ଆପଣଙ୍କ ପାଇଁ ବେଷ୍ଟ ହୋମ୍ ରିମେଡି ରହିବ । ଯାହା ଡ୍ୟାଣ୍ଡ୍ରଫ୍ ଭଳି ସମସ୍ୟାଠାରୁ ଦୂରରେ ରଖେ । ଏହା ଆମ କେଶ ପାଇଁ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ କିପରି ତିଆରି କରିବେ ଏବଂ ବ୍ୟବହାର କରିବେ ସେ ସମ୍ପର୍କରେ ଆମେ ଜାଣିବା ।
ଘରେ ଏହି ତେଲ ତିଆରି କରିବା ବହୁତ ସହଜ। ଏଥିପାଇଁ ୫-୭ ଟି ରସୁଣ କୋଲା ନିଅନ୍ତୁ । ସେଗୁଡ଼ିକୁ ଛଡ଼ାଇ ଦିଅନ୍ତୁ ଏବଂ ତାକୁ ଭଲ ଭାବରେ କାଟି କିମ୍ବା ପେଷି ଦିଅନ୍ତୁ । ଏକ ପ୍ୟାନରେ କିଛି ସୋରିଷ ତେଲ ଗରମ କରି ସେଥିରେ ରସୁଣକୁ ପକାନ୍ତୁ । ଏହା ପରେ ତାକୁ ୨-୩ ମିନିଟ୍ ପର୍ଯ୍ୟନ୍ତ କମ୍ ଆଞ୍ଚରେ ରାନ୍ଧନ୍ତୁ । ରସୁଣ ସୁନେଲି ରଙ୍ଗ ହୋଇଗଲେ, ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ତେଲକୁ ଥଣ୍ଡା କରନ୍ତୁ ଏବଂ ଆବଶ୍ୟକତା ଅନୁସାରେ ହାଲୁକା ଗରମ କରି ବ୍ୟବହାର କରନ୍ତୁ । ଏହି ତେଲକୁ କୌଣସି ଏକ ଡ଼ବାରେ ମଧ୍ୟ ଆପଣ ଷ୍ଟୋର କରି ରଖିପାରିବେ ।
ତେଲକୁ ସାମାନ୍ୟ ଗରମ କରନ୍ତୁ ଏବଂ ଏହାକୁ ପ୍ରଭାବିତ ସ୍ଥାନରେ ଦିନକୁ ଦୁଇରୁ ତିନିଥର ଧୀରେ ଧୀରେ ମାଲିସ କରନ୍ତୁ । କିଛି ଦିନ ନିୟମିତ ବ୍ୟବହାର କଲେ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ ।