ୟୁଏଇ : ୟୁଏଇର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଧରଣର ଡ୍ରୋନ୍ ଆଟାକ୍ । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ୟୁଏଇର ପ୍ରସିଦ୍ଧ ବାରାକା ଆଣବିକ ଶକ୍ତି କେନ୍ଦ୍ର ଉପରେ ରବିବାର ଏକ ଡ୍ରୋନ୍ ଆଟାକ୍ ହୋଇଛି । ଏହି ଆକ୍ରମଣ ଯୋଗୁଁ ପ୍ଲାଣ୍ଟ ପରିସର ବାହାରେ ଥିବା ଏକ ବାହ୍ୟ ବୈଦ୍ୟୁତିକ ଜେନେରେଟରରେ ନିଆଁ ଲାଗିଯାଇଥିଲା ।
ଆବୁଧାବି ମିଡିଆ ଅଫିସର ସୂଚନା ଅନୁଯାୟୀ, ଆଲ୍ ଧାଫରା ଅଞ୍ଚଳରେ ଥିବା ଏହି ପ୍ଲାଣ୍ଟର ସୀମା ବାହାରେ ଘଟଣାଟି ଘଟିଥିବାରୁ ଜରୁରୀକାଳୀନ ସେବା ଟିମ୍ ତୁରନ୍ତ ନିଆଁକୁ ଆୟତ୍ତ କରିନେଇଛନ୍ତି । ଏଥିରେ କେହି ମୃତାହତ ହୋଇନଥିବା ସ୍ପଷ୍ଟ କରାଯାଇଛି ।
ୟୁଏଇର ଆଣବିକ ନିୟାମକ ସଂସ୍ଥା ‘ଫେଡେରାଲ୍ ଅଥରିଟି ଫର୍ ନ୍ୟୁକ୍ଲିୟର ରେଗୁଲେସନ୍ କହିଛି, ଏହି ଆକ୍ରମଣ ଯୋଗୁଁ ରେଡିଓ ଆକ୍ଟିଭ୍ ବା ବିକିରଣ ଜନିତ କୌଣସି ବିପଦ ସୃଷ୍ଟି ହୋଇନାହିଁ । ପ୍ଲାଣ୍ଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ୍ ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବେ କାମ କରୁଛି ଏବଂ ବାରାକାରେ ଥିବା ସମସ୍ତ ୪ଟି ଯାକ ରିଆକ୍ଟର ସୁରକ୍ଷିତ ଭାବେ ଚାଲୁ ରହିଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଡ୍ରୋନ୍ ମାଡ଼ ଯୋଗୁଁ ଭିତର ସୀମା ବାହାରେ ଥିବା ଜେନେରେଟରରେ ଲାଗିଥିବା ନିଆଁକୁ ପ୍ରଶାସନ ତୁରନ୍ତ ନିୟନ୍ତ୍ରଣ କରିଛି । ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।
ଦକ୍ଷିଣ କୋରିଆର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବାରାକା ହେଉଛି ଆରବ ଜଗତର ପ୍ରଥମ ବାଣିଜ୍ୟିକ ଆଣବିକ ଶକ୍ତି କେନ୍ଦ୍ର । ଏହା ସମଗ୍ର ୟୁଏଇର ପ୍ରାୟ ୨୫% ବିଦ୍ୟୁତ ଆବଶ୍ୟକତା ପୂରଣ କରିଥାଏ । ଇରାନ ସଂଘର୍ଷ ସହ ଜଡ଼ିତ ଦୁର୍ବଳ ଅସ୍ତ୍ରବିରତି ଏବଂ ଚାଲିଥିବା ଆଞ୍ଚଳିକ ତିକ୍ତତା ମଧ୍ୟରେ ବାରାକା ପ୍ଲାଣ୍ଟକୁ ସିଧାସଳଖ ଟାର୍ଗେଟ କରାଯିବା ଏହା ପ୍ରଥମ ଘଟଣା ।
ତେବେ ଏହି ଡ୍ରୋନ୍ ଆକ୍ରମଣ ପଛରେ କେଉଁ ସଂଗଠନର ହାତ ଅଛି, ସେ ନେଇ ଏପର୍ଯ୍ୟନ୍ତ କେହି ଦାବି କରିନାହାନ୍ତି । ଆବୁଧାବି ସହର ଠାରୁ ପ୍ରାୟ ୨୫୦ କିଲୋମିଟର ପଶ୍ଚିମରେ ମରୁଭୂମି ଅଞ୍ଚଳରେ ଏହି ପ୍ଲାଣ୍ଟ ଅବସ୍ଥିତ । FANR ଏବଂ ପ୍ଲାଣ୍ଟ ଅପରେଟର ‘ଏମିରେଟ୍ସ ନ୍ୟୁକ୍ଲିୟର ଏନର୍ଜି କର୍ପୋରେସନ’ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ପ୍ଲାଣ୍ଟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । କୌଣସି ପ୍ରକାରର କାଳ୍ପନିକ ଗୁଜବ ଉପରେ ବିଶ୍ୱାସ ନକରି କେବଳ ସରକାରୀ ଓ ପ୍ରମାଣିତ ସୂତ୍ର ଉପରେ ଭରସା ରଖିବାକୁ ଅଧିକାରୀମାନେ ଅନୁରୋଧ କରିଛନ୍ତି ।
