ଉତ୍ତରପ୍ରଦେଶ : ୟୁପିରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଭୟ ଦୁର୍ଘଟଣାରେ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଆଜି ଲଖିମପୁର ଖେରି ଜିଲ୍ଲାରେ ଏକ ମ୍ୟାଜିକ୍ ଭ୍ୟାନ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ବହରାଇଚରେ ଆଉ ଏକ ଦୁର୍ଘଟଣା ଘଟିଛି । ବହରାଇଚ ଏସପି ବିଶ୍ୱଜିତ ଶ୍ରୀବାସ୍ତବ କହିଛନ୍ତି, ଆମେ ସୂଚନା ପାଇଲୁ ଯେ ଏକ କାର ବହରାଇଚ ଆଡକୁ ଯାଉଥିଲା । ପାର୍ଶ୍ଵବର୍ତ୍ତୀ ରାସ୍ତାରୁ ଏକ କମ୍ବାଇନ୍ ହାର୍ଭେଷ୍ଟର ଏହା ସହିତ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କୁ ଡାକ୍ତରଖାନା ନିଆଯାଇଛି ।
ଏହିପରି ଆଉ ଏକ ଦୁର୍ଘଟଣା ଲକ୍ଷୀମପୁର ଖେରି ଜିଲ୍ଲାର ଧୌରାହରା ଅଞ୍ଚଳରେ ଘଟିଛି । ଆଜି ସକାଳେ ଏକ ମ୍ୟାଜିକ୍ ଭ୍ୟାନ ଏବଂ ଏକ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ଆଠ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଧୌରାହରା ପୋଲିସ ଅଧୀକ୍ଷକ (ସିଓ) ଶମଶେର ବାହାଦୁର ସିଂହ କହିଛନ୍ତି ଯେ ଦୁର୍ଘଟଣାଟି ସିସାଇଆ-ଲଖିମପୁର ଜାତୀୟ ରାଜପଥ ୭୩୦ ରେ ଘଟିଛି । ଇସାନଗର ଏବଂ ଧୌରାହରା ଥାନା ଅଞ୍ଚଳର ସୀମାନ୍ତରେ ଥିବା ଉଞ୍ଚଗାଓଁ ଏବଂ ଭାରେହତା ଗ୍ରାମ ମଧ୍ୟରେ ଦୁଇଟି ଗାଡ଼ି ଧକ୍କା ହୋଇଛି । ପୋଲିସ ଅନୁଯାୟୀ, ଲଖିମପୁରରୁ ସିସାଇଆ ଯାଉଥିବା ମ୍ୟାଜିକ୍ ଭ୍ୟାନଟି ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି ।
