Sunday, March 22, 2026
21.2 C
Odisha

    ୟୁରୋପୀୟ ସେନା ଗଠନ ପାଇଁ ଜେଲେନସ୍କିଙ୍କ ଆହ୍ୱାନ, ଆମେରିକାର ସହାୟତା ମିଳୁନି

    ଆଗକୁ ପଢନ୍ତୁ

    କିବ୍: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି ଯେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ରୁଷ୍ ଆଲୋଚନା ପାଇଁ ପ୍ରସ୍ତୁତ ନୁହେଁ। ଏବେ ଆମେରିକା ସହାୟତା ବନ୍ଦ କରିଦେଇଥିବାରୁ ଏହି ଯୁଦ୍ଧର ମୁକାବିଲା ପାଇଁ ଏକ ୟୁରୋପୀୟ ସେନା ଗଠନ ହେବା ଦରକାର। ଜର୍ମାନୀରେ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଉଦ୍‌ବୋଧନ ଦେଇ ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ ଆମେରିକା ସହାୟତା ପ୍ରସଙ୍ଗ ଏଡ଼ାଇ ଚାଲିଛି। କିନ୍ତୁ ଅନେକ ନେତା ଏହି ମହାଦେଶର ନିଜସ୍ୱ ସେନା ରହିବାର ଆବଶ୍ୟକତା ଉପରେ ସହମତି ପ୍ରକାଶ କରିଛନ୍ତି।ଜେଲେନସ୍କି କହିଛନ୍ତି, ଏବେ ୟୁରୋପର ସଶସ୍ତ୍ର ବାହିନୀ ଗଠନ ହେବା ଦରକାର, ଯାହାଦ୍ୱାରା ୟୁରୋପର ଭବିଷ୍ୟତ କେବଳ ୟୁରୋପୀୟଙ୍କ ଉପରେ ନିର୍ଭର କରିବ। ଏହା (ରୁଷ୍) ଶାନ୍ତି ଚାହୁଥିବା ଦେଶ ନୁହେଁ ଏବଂ ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ ହେଉନାହାନ୍ତି ବୋଲି ଜେଲେନସ୍କି ଚେତାବନୀ ଦେଇଛନ୍ତି। ଜେଲେନସ୍କି ଦାବି କରିଛନ୍ତି ଯେ, ସେ ପାଇଥିବା ଗୁଇନ୍ଦା ରିପୋର୍ଟ ଅନୁସାରେ ରୁଷ୍ ତାଲିମ ଅଭ୍ୟାସ ବାହାନାରେ ଏହାର ସହଯୋଗୀ ବେଲାରୁଷକୁ ନିଜର ସୈନ୍ୟ ପଠାଇବାକୁ ଯୋଜନା କରୁଛି ଏବଂ ଏହା ନାଟୋ ଦେଶଗୁଡ଼ିକ ପାଇଁ ସିଧାସଳଖ ବିପଦ ସୃଷ୍ଟି କରିବ। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ପଷ୍ଟ ଭାବରେ ବେଲାରୁଷକୁ ବର୍ତ୍ତମାନ ଅନ୍ୟ ଏକ ରୁଷୀୟ ପ୍ରଦେଶ ଭାବରେ ଦେଖୁଛନ୍ତି। ଏହା ପୂର୍ବରୁ ଜେଲେନସ୍କି କହିଥିଲେ ଯେ ଯଦି ୟୁକ୍ରେନ ନାଟୋରେ ସାମିଲ ହେବାରେ ବିଫଳ ହୁଏ ତେବେ ଏହାକୁ ତା’ର ସାମରିକ ଆକାର ଦୁଇଗୁଣ କରିବାକୁ ପଡିବ। ଶୁକ୍ରବାର ସେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟି ରୁଷ୍-ୟୁକ୍ରେନ ଯୁଦ୍ଧ ପାଇଁ ଏକ ଶାନ୍ତି ଚୁକ୍ତି ଉପରେ ଆଲୋଚନା କରିଥିଲେ। ରୁଷ୍ ସହ ଶାନ୍ତି ଆଲୋଚନା କରିବା ପୂର୍ବରୁ ୟୁକ୍ରେନ୍ ‘ସୁରକ୍ଷା ଗ୍ୟାରେଣ୍ଟି’ ଚାହୁଛି ବୋଲି ସେ କହିଛନ୍ତି। ଜେଲେନସ୍କି ଶୁକ୍ରବାର କହିଛନ୍ତି ଯେ ବର୍ତ୍ତମାନ ଆମେରିକାର ସାମରିକ ସମର୍ଥନ ବିନା ଏବଂ ଭବିଷ୍ୟତରେ କୌଣସି ରୁଷୀୟ ଆକ୍ରମଣ ହେଲେ ତାଙ୍କ ଦେଶ ପାଇଁ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ଦିଗରେ କୌଣସି ପ୍ରତିଶ୍ରୁତି ଆମକୁ ଦେଉନାହାନ୍ତି ବୋଲି ଜେଲେନସ୍କି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ