Thursday, October 15, 2026
26.4 C
Odisha

    ମହାକୁମ୍ଭ ରେକର୍ଡ: ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ଟପିବ, ଭାରତ, ଚୀନ୍ ବ୍ୟତୀତ ଯେକୌଣସି ଦେଶର ଜନସଂଖ୍ୟାଠାରୁ ଅଧିକ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ଜାନୁଆରି ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭମେଳାରେ ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିସାରିଥିବା ବେଳେ ଶେଷ ଦିବସ ସୁଦ୍ଧା ଏହି ସଂଖ୍ୟା ୬୦ କୋଟି ଟପିବ ବୋଲି ଆକଳନ କରାଯାଇଛି। ପ୍ରୟାଗରାଜର ସଙ୍ଗମ ସହର ଏବେ ମାନବ ଇତିହାସରେ ନୂଆ ରେକର୍ଡ କରିଛି। କୌଣସି ଧାର୍ମିକ, ସାଂସ୍କୃତିକ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଏହି ଅଂଶଗ୍ରହଣ ଇତିହାସରେ ସର୍ବବୃହତ୍ ବୋଲି ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ କୋଟି କୋଟି ଶ୍ରଦ୍ଧାଳୁ ବିଭିନ୍ନ କାରଣରୁ ମେଳାରେ ପହଞ୍ଚି ପାରିନଥିବାରୁ ମହାକୁମ୍ଭ ମେଳା ଅବଧି ବଢ଼ାଇବାକୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଦାବି କରିଛନ୍ତି। ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଭାରତ ଓ ଚୀନ୍ ବ୍ୟତୀତ ପୃଥିବୀର ଅନ୍ୟ ଯେକୌଣସି ଦେଶର ଜନସଂଖ୍ୟାଠାରୁ ଅଧିକ।
    କାରଣ, ଆମେରିକୀୟ ଜନଗଣନା ବ୍ୟୁରୋ ଅନୁଯାୟୀ, ବିଶ୍ୱର ଶ୍ରେଷ୍ଠ ୧୦ଟି ସର୍ବାଧିକ ଜନସଂଖ୍ୟାବିଶିଷ୍ଟ ଦେଶ ମଧ୍ୟରେ ଅଛନ୍ତି: ଭାରତ (୧,୪୧,୯୩, ୧୬,୯୩୩), ଚୀନ୍ (୧, ୪୦,୭୧,୮୧,୨୦୯), ଆମେରିକା (୩୪, ୨୦,୩୪,୪୩୨), ଇଣ୍ଡୋନେସିଆ (୨୮, ୩୫,୮୭,୦୯୭), ପାକିସ୍ତାନ (୨୫, ୭୦,୪୭,୦୪୪), ନାଇଜେରିଆ (୨୪, ୨୭, ୯୪,୭୫୧), ବ୍ରାଜିଲ (୨୨, ୧୩,୫୯,୩୮୭), ବାଂଲାଦେଶ (୧୭, ୦୧,୮୩,୯୧୬), ରୁଷ୍ (୧୪, ୦୧, ୩୭,୦୪୪) ଓ ମେକ୍ସିକୋ (୧୩,୧୭,୪୧,୩୪୭)। ମହାକୁମ୍ଭ ଆରମ୍ଭରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକଳନ କରିଥିଲେ ଯେ ଏହି କାର୍ଯ୍ୟକ୍ରମରେ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମ ସହରକୁ ଆସି ପବିତ୍ର ସ୍ନାନ କରିବେ, ଯାହା ଫେବ୍ରୁଆରି ୧୧ ସୁଦ୍ଧା ହାସଲ ହୋଇସାରିଛି। ମହାକୁମ୍ଭରେ ଆଉ ୧୨ ଦିନ ଓ ଗୋଟିଏ ଅମୃତ ସ୍ନାନ ବାକି ଅଛି। ଏଣୁ ମେଳା ଶେଷ ବେଳକୁ ମୋଟ ସଂଖ୍ୟା ୬୦ କୋଟି ଟପିବ ବୋଲି ଅନୁମାନ କରାଯାଉଛି। ମୁଖ୍ୟ ସ୍ନାନ ଦିବସଗୁଡ଼ିକରେ ପ୍ରବଳ ଅଂଶଗ୍ରହଣ ଦେଖିବାକୁ ମିଳେ, ଜାନୁଆରି ୨୯ରେ ମୌନୀ ଅମାବାସ୍ୟାରେ ସବୁଠାରୁ ବଡ଼ ସମାଗମ ଦେଖିବାକୁ ମିଳିଥିଲା, ଯେଉଁଥିରେ ୮ କୋଟି ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଥିଲେ। ମକର ସଂକ୍ରାନ୍ତି (ଜାନୁଆରି ୧୪) ଅମୃତ ସ୍ନାନରେ ସମୁଦାୟ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

    ଜାନୁଆରି ୩୦ ଓ ଫେବ୍ରୁଆରି ପହିଲାରେ ୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ପୌଷ ପୂର୍ଣ୍ଣିମାରେ ୧.୭ କୋଟି ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ବସନ୍ତ ପଞ୍ଚମୀରେ ୨.୫୭ କୋଟି ଶ୍ରଦ୍ଧାଳୁ ସ୍ନାନରେ ସାମିଲ ହୋଇଥିଲେ। ମାଘୀ ପୂର୍ଣ୍ଣିମାର ଗୁରୁତ୍ୱପୂର୍ଣ୍ଣ ସ୍ନାନ ପର୍ବରେ ମଧ୍ୟ ତ୍ରିବେଣୀ ସଙ୍ଗମରେ ୨ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଫେବ୍ରୁଆରି ୨୬ ମହାଶିବରାତ୍ରିରେ ମହାକୁମ୍ଭମେଳା ଶେଷ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    86 %
    1.3kmh
    75 %
    Thu
    24 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ