Sunday, January 12, 2025
14.6 C
Odisha

    ୧୭ରୁ ରତ୍ନଭଣ୍ଡାର ମରାମତି -ଦ୍ୱିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହେବ କାମ

    ଆଗକୁ ପଢନ୍ତୁ

    ପୁରୀ : ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି । ଏଏସ୍‌ଆଇକୁ ଏଥିପାଇଁ ଦୈନିକ ୪/୫ ଘଣ୍ଟା ସମୟ ଦିଆଯିବ । ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନ ଯେପରି ବ୍ୟାଘାତ ନ ହୁଏ ତାହାକୁ ପ୍ରାଥମିକତା ଦେଇ ଏହି ମରାମତି ହେବ । ତିନି ମାସ ମଧ୍ୟରେ ମରାମତି କାର୍ଯ୍ୟ ସାରିବ ବୋଲି ଲିଖିତ ଭାବେ ଜଣାଇଛି ଏଏସ୍‌ଆଇ । ମଙ୍ଗଳବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ରତ୍ନଭଣ୍ଡାର ମରାମତି ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା କରାଯାଇ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ପୂର୍ବ ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଏବଂ କମାଣ୍ଡର ମରାମତି ନିମନ୍ତେ ସମୟ ନିର୍ଦ୍ଧାରଣ କରିଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେପରି କୌଣସି ପ୍ରକାର ସମସ୍ୟା ନ ହୁଏ ତାହାକୁ ଗୁରୁତ୍ୱ ଦେଇ ସମୟ ନିର୍ଦ୍ଧାରଣ ହୋଇଛି । ପୂର୍ବରୁ ଏଏସ୍‌ଆଇ ଡିସେମ୍ବର ୧୬ରୁ ମରାମତି ଆରମ୍ଭ କରିବ ବୋଲି ପ୍ରସ୍ତାବ ଦେଇଥିଲା । ଯେ ହେତୁ ସେଦିନ ସଂକ୍ରାନ୍ତି ପଡୁଛି ତେଣୁ ଡିସେମ୍ବର ୧୭ରୁ ରତ୍ନଭଣ୍ଡାର ମରାମତି ଆରମ୍ଭ କରାଯିବ । ବିଶେଷକରି ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ଆପାତତଃ ଅପରାହ୍ନ ୧ଟାରୁ ଏଏସ୍‌ଆଇକୁ ମରାମତି ଲାଗି ସମୟ ଦିଆଯିବ । ସେମାନେ ୪ରୁ ୫ ଘଣ୍ଟା ଅର୍ଥାତ୍ ସନ୍ଧ୍ୟା ୫/୬ଟା ପର୍ଯ୍ୟନ୍ତ କାମ କରିବେ । କିନ୍ତୁ ଏହା ନିର୍ଦ୍ଦିଷ୍ଟ ନୁହେଁ । ସେହିଦିନର ନୀତିକାନ୍ତିକୁ ଦେଖି କାମ ସମୟ ବଦଳିପାରେ । ସେହିପରି ବିଶେଷ ପର୍ବପର୍ବାଣି, ଶନିବାର ଏବଂ ରବିବାର ଭଳି ଭିଡ଼ ହେବାକୁ ଥିବା ଦିନରେ କାମ ବନ୍ଦ କରିବାକୁ ଏଏସ୍‌ଆଇକୁ ପରାମର୍ଶ ଦିଆଯାଇଛି । ଆଗକୁ ଡିସେମ୍ବର ୨୫, ଜାନୁୟାରୀ ୧ ତାରିଖ ଆସୁଛି । ତେଣୁ ଏହିଭଳି ଗହଳି ଦିନମାନଙ୍କରେ କାମ ବନ୍ଦ ରହିବ ।
    ମରାମତି ସମୟରେ ବାହାର କାଠରୁ ସର୍ବସାଧାରଣ ଦର୍ଶନ ହେବ । କାହାକୁ ଭିତରକାଠ ନିକଟକୁ ଛଡାଯିବ ନାହିଁ । ଅଧିକୃତ ବ୍ୟକ୍ତି ଯେପରି କି ଏଏସ୍‌ଆଇ ପକ୍ଷରୁ ନିୟୋଜିତ କର୍ମଚାରୀ ପ୍ରମୁଖଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ । ମରାମତି ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ ଯୋଗାଇ ଦିଆଯିବ । ରତ୍ନଭଣ୍ଡାର ମରାମତି ଏକ ଗୁରୁତ୍ୱପୂର୍ଣ୍ଣ କଥା । ଏହାକୁ ଭଲ ଭାବେ ମରାମତି କରାଯିବ । ତେବେ ୩ ମାସ ମଧ୍ୟରେ କାମ ଶେଷ କରିବା ଲାଗି ଏଏସ୍‌ଆଇ ଲିଖିତ ଭାବେ ଜଣାଇଛି । କିନ୍ତୁ କାମ କେବେ ସମ୍ପୂର୍ଣ୍ଣ ହେବ ତାହା କହିହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ପାଢୀ । ତେବେ ମରାମତି ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ଏହାପରେ ଅଳଙ୍କାର ଗଣତି ମଣତି ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
    ତେବେ ରତ୍ନଭଣ୍ଡାର ମରାମତି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି, ଯାହାକୁ ଛତିଶା ନିଯୋଗ ଅନୁମୋଦନ ଦେଇଛି । ନିର୍ଘଣ୍ଟ ନୀତି ଅନୁଯାୟୀ, ରାତ୍ର ୨ଟାରୁ ଦ୍ୱାରଫିଟା ହେବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏଏସ୍‌ଆଇକୁ କାମ କରିବାକୁ ଅନୁମତି ମିଳିବ । ଅପରାହ୍ନ ୧୨ଟା ୩୦ ସୁଦ୍ଧା ସରିବ ଦ୍ୱିତୀୟ ଭୋଗ ମଣ୍ଡପ । ଦ୍ୱିତୀୟ ଭୋଗ ମଣ୍ଡପ ପରଠାରୁ ସନ୍ଧ୍ୟା ୫ଟା କିମ୍ବା ୬ ଟା ପର୍ଯ୍ୟନ୍ତ କାମ କରିବ ଏଏସ୍‌ଆଇ । ସନ୍ଧ୍ୟା ୬ଟା ପରେ ମହାପ୍ରଭୁଙ୍କ ବେଶ ମଇଲମ ସହ ସନ୍ଧ୍ୟା ଆଳତି ହୋଇ ଅନ୍ୟାନ୍ୟ ନୀତି ବଢିବ । ସକାଳ ଧୂପ ଓ ମଧ୍ୟାହ୍ନ ଧୂପରେ କେବଳ କୋଠଭୋଗ ବାହାରିବ । ରାତି ୨ଟାରୁ ଦ୍ୱାରଫିଟା ପରେ ୩ଟାରେ ମଙ୍ଗଳ ଆଳତି ଓ ୫ଟା ୩୦ରୁ ୬ ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ପହିଲି ଭୋଗ ନୀତି ଶେଷ ହେବ । ୧୦ଟା ୧୫ରୁ ସାଢେ ୧୨ଟା ମଧ୍ୟରେ ସରିବ ଦ୍ୱିତୀୟ ଭୋଗ ମଣ୍ଡପ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14.6 ° C
    14.6 °
    14.6 °
    68 %
    2.2kmh
    100 %
    Sat
    15 °
    Sun
    28 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ