Sunday, October 4, 2026
23.6 C
Odisha

    ୨୭ ସୁଦ୍ଧା ଖରାଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଛି। ପଶ୍ଚିମରୁ ଉତ୍ତର, ଉପକୂଳରୁ ଦକ୍ଷିଣ ଓଡ଼ିଶା ସବୁଠି ତାତି ବଢ଼ୁଛି। ଆକାଶରୁ ସତେଯେମିତି ନିଆଁ ଗଳୁଛି। ପ୍ରଚଣ୍ଡ ରୌଦ୍ରତାପରେ ଲୋକେ ପଦାକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପଶ୍ଚିମରେ ଗ୍ରୀଷ୍ମପ୍ରବାହ ସ୍ଥିତି ଅସମ୍ଭାଳ। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇପାରେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସ୍କୁଲ ଛୁଟି ପାଇଁ ବିଚାର କରୁଛନ୍ତି। ଚଳିତ ମାସ ୨୭ ତାରିଖ ସୁଦ୍ଧା ସ୍କୁଲ୍‌ ଛୁଟି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଦିନେ ଦୁଇ ଦିନ ଭିତରେ ଆଗୁଆ ଖରା ଛୁଟି ନିଷ୍ପତ୍ତି ନେଇପାରନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

    ଗତକାଲି ଝାରସୁଗୁଡ଼ା ଏବଂ ତାଳଚେରରେ ପାରଦ ୪୪ଡିଗ୍ରୀ ଟପିଛି। ରାଜ୍ୟର ଦିନ ତାପମାତ୍ରା ଏହି ଦୁଇଟି ସ୍ଥାନରେ ସର୍ବାଧିକ ରହିଛି। ବୁଧବାର ଦେଶର ସର୍ବାଧିକ ଉତ୍ତପ୍ତ ସହର ତାଲିକାରେ ଝାରସୁଗୁଡ଼ା ୪୪.୬ ଡିଗ୍ରୀ ସହ ପ୍ରଥମ ସ୍ଥାନରେ ଥିବାବେଳେ ଆଜି ଏଠାରେ ତାପମାତ୍ରା ୪୪ ଡିଗ୍ରୀକୁ ଖସିଛି। ଦେଶର ସର୍ବାଧିକ ତାପମାତ୍ରା ସହର ତାଲିକାରେ ଝାରସୁଗୁଡ଼ା ୬ଷ୍ଠ ସ୍ଥାନରେ ରହିଛି। ୨୪ଟି ସ୍ଥାନରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିଛି। ଢେଙ୍କାନାଳରେ ପାରଦ ୪୩.୫ ଡିଗ୍ରୀ ଥିବାବେଳେ ପାରଳାଖେମୁଣ୍ଡିରେ ୪୩, ଟିଟିଲାଗଡ଼ରେ ୪୩.୮, ସମ୍ବଲପୁରରେ ୪୩ ଏବଂ ଅନୁଗୋଳରେ ୪୩.୫ ଡିଗ୍ରୀ ରହିଛି। ଭୁବନେଶ୍ବରରେ ଦିନ ତାପମାତ୍ରା ୪୨.୧ ଡିଗ୍ରୀ ଛୁଇଁଥିବା ବେଳେ କଟକରେ ୪୧.୮ ଡିଗ୍ରୀରେ ପହଞ୍ଚିଛି।

    ଆଜି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, କେନ୍ଦୁଝର, ଅନୁଗୋଳ ଏବଂ ଖୋରଧା ଜିଲ୍ଲାକୁ ଗ୍ରୀଷ୍ମ ଲହରୀ ପାଇଁ ସତର୍କ ସୂଚନା ଜାରି ହୋଇଛି। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଗରମ ପବନ ବହୁଛି। ଏଲ୍-ନିନୋ ପ୍ରଭାବ ହେତୁ ସମୁଦ୍ରରୁ ଶୀତଳ ପବନ ଉପକୂଳକୁ ଆସୁନାହିଁ। ବାୟୁମଣ୍ଡଳର ୧୦ରୁ ୧୨କି.ମି. ଉପରିଭାଗରେ ବାୟୁ ସଙ୍କୁଚିତ ହେବା କାରଣରୁ ସେଠାରେ ଚାରିଆଡୁ ପବନ ଏକାଠି ହୋଇ ଗରମ ପବନ ବାୟୁମଣ୍ଡଳକୁ ଆସୁଛି। ଆକାଶରୁ ଗରମ ପବନ ଖସୁଥିବାରୁ ସାରା ରାଜ୍ୟରେ ତାତି ବଢ଼ୁଛି। ଏହି ପ୍ରକ୍ରିୟା ଆକାଶରେ ମେଘ ସୃଷ୍ଟି କରିବାକୁ ଦେଉନାହିଁ। ତେଣୁ ସାରା ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଆସନ୍ତା ୨୯ ଓ ୩୦ ତାରିଖ ବେଳକୁ ଉପକୂଳ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ହେଲେ ତାତିରୁ ନିସ୍ତାର ମିଳିବ ନାହିଁ। ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆଜି ଝାରସୁଗୁଡ଼ା, ଟିଟିଲାଗଡ଼ରେ ପାରଦ ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ଥିବାବେଳେ ଭୁବନେଶ୍ବରରେ ୪୩ ଡିଗ୍ରୀ ଅତିକ୍ରମ କରିପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏନେଇ ଏ ସମସ୍ତ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀର ପ୍ରଭାବଜନିତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲାକୁ ସତର୍କ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ