Saturday, April 4, 2026
29 C
Odisha

    ୬୦୦ ବାଟିର ମାଲିକ ମହାପ୍ରଭୁ ଶ୍ରୀଲିଙ୍ଗରାଜ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜାରାଜୁଡ଼ା ଶାସନ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଭୁବନେଶ୍ବର ଓ ଏହାର ଆଖପାଖ ମୌଜାରେ ୬ଶହ ବାଟି (୧୩ହଜାର ୨ଶହ ଏକର) ସମ୍ପତ୍ତି ଖଞ୍ଜା ହୋଇଥିଲା। ସେସବୁ ଜମି ଭୁବନେଶ୍ବର, ମହାଭୋଇ ଶାସନ, ସୁନ୍ଦରପଦା, ଉଗୁରୁସୁଆଁ, ଦକ୍ଷିଣ ନାରଙ୍ଗୀ, ଗଙ୍ଗେଶ୍ବରପୁର, କୁକୁଡ଼ାଘାଇ ପାଟଣା ଓ କୁହାକ୍ଷେତ୍ରପାଳ ମୌଜାରେ ଥିବା ତତ୍କାଳୀନ ପ୍ରସିଦ୍ଧ ଗବେଷକ ତଥା ଲେଖକ ଚିନ୍ତାମଣି ଆଚାର୍ଯ୍ୟ ତାଙ୍କ ପୁସ୍ତକ ‘ଭୁବନେଶ୍ବର’ରେ ଲେଖିଛନ୍ତି। ସେ ଏହା ମଧ୍ୟ ଦର୍ଶାଇଥିଲେ, ସେ ସମୟରେ ଲିଙ୍ଗରାଜଙ୍କ ଦୈନିକ ନୀତିକାନ୍ତି ଯାନିଯାତ୍ରା ଏହି ୬ଶହ ବାଟି ଜମିର ଆୟରୁ ହେଉଥିଲା। କିଛି ଜମି ପ୍ରଜାଙ୍କ ଭୋଗ ଦଖଲରେ ରହିଥିବା ବେଳେ କିଛି ଜମି ଠାକୁରଙ୍କ ଦଖଲରେ ରହିଥିଲା। ଏବେ ସେଗୁଡ଼ିକ ମଧ୍ୟରୁ ଅନେକ ସମ୍ପତ୍ତି ଦିଅଁଙ୍କ ନାଁରୁ ହଜି ଗଲାଣି। ଦଖଲରେ ଥିବା ପ୍ରଜା ଦିଅଁଙ୍କ ନାଁ କାଟି ସେମାନଙ୍କ ନାମରେ କରିସାରିଲେଣି। ଠାକୁରଙ୍କ ନାଁରେ ଥିବା ସମ୍ପତ୍ତିରୁ କେତେକ ସାଧାରଣ ପ୍ରଶାସନ ନାଁରେ ରେକର୍ଡ ହୋଇଯାଇଛି। ଏବେ ମନ୍ଦିର ପ୍ରଶାସନ ପାଖରେ ମାତ୍ର ୧୧୦୦ ଏକର ସମ୍ପତ୍ତିର ହିସାବ ମିଳୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ଖୋଜି ବାହାର କରିବାକୁ ପ୍ରଶାସନ ସକ୍ଷମ ହୋଇପାରୁନି।

    କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ରାଜନେତା ମଧ୍ୟ ଦିଅଁଙ୍କ ସମ୍ପତ୍ତି ମାଡ଼ି ବସିଛନ୍ତି। ଏଦିଗରେ ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ ଦିଅଁଙ୍କ ସମ୍ପତ୍ତି ସୁରକ୍ଷା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଏବେ ସରକାରୀ ଜମିର ଡାଟାବେସ୍‌ କରି ଓଡ଼ିଶାକୁ ଜବରଦଖଲ ମୁକ୍ତ କରିବା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଜବରଦଖଲକାରୀଙ୍କୁ ଚେତାବନୀ ଦେଇଥିବା ବେଳେ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ପାଇଁ ସ୍ବତନ୍ତ୍ର ଡାଟାବେସ୍‌ ତିଆରି କରି ଦିଅଁଙ୍କ ସମ୍ପତ୍ତି ଫେରାଇ ଆଣିବାକୁ ସାଧାରଣରେ ଦାବି ହେଉଛି।

    ତଥ୍ୟ ଅନୁସାରେ, ଏକାମ୍ରର ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଥମେ ପୁରୀ ଏବଂ ଖୋର୍ଦ୍ଧା ରାଜାଙ୍କ ଦ୍ବାରା ପରିଚାଳିତ ହେଉଥିଲା। ସେହି ବଂଶର ରାଜାମାନେ ମନ୍ଦିର ପରିଚାଳନା ବ୍ୟବସ୍ଥା କରୁଥିଲେ। ୧୮୦୫ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧା ବ୍ରିଟିଶ ସରକାରଙ୍କ ଦଖଲକୁ ଯାଇଥିଲା। ସେହିବର୍ଷ ପର୍ଯ୍ୟନ୍ତ ପୁରୀ ରାଜାଙ୍କ ଅଧୀନ ଓ ପରିଚ୍ଛାଙ୍କ ତତ୍ତ୍ବାବଧାନରେ ଲିଙ୍ଗରାଜ ଓ ଅନ୍ୟାନ୍ୟ ମନ୍ଦିରର ସେବାପୂଜା ଓ ଯାନିଯାତ୍ରା ପରିଚାଳିତ ହେଉଥିଲା। ଏହାପରେ ଇଂରେଜ ସରକାର ସ୍ଥାନୀୟ କର୍ମଚାରୀ (ଲୋକାଲ୍‌ ଏଜେଣ୍ଟ ବା କଲେକ୍ଟର)ଙ୍କ ଦ୍ବାରା ଲିଙ୍ଗରାଜ ମନ୍ଦିର ପରିଚାଳନା କରିଥିଲେ। ଲୋକାଲ ଏଜେଣ୍ଟ ଅଧୀନରେ ଜଣେ ପରିଚ୍ଛା ରହିଥିଲେ। ସେହି ପରିଚ୍ଛା ଭୁବନେଶ୍ବର ସେବାପୂଜା ବିଷୟରେ ପ୍ରତ୍ୟେକ୍ଷ ଭାବେ ସମ୍ପୃକ୍ତ ରହୁଥିଲେ। ବ୍ରିଟିଶ ସରକାରଙ୍କ ଦ୍ବାରା ୧୮୬୩ ମସିହାରେ ହିନ୍ଦୁ ଦେବୋତ୍ତର ଆଇନ ପ୍ରଣୟନ କରାଗଲା। ସେହି ଦିନରୁ ଭୁବନେଶ୍ବରର ମନ୍ଦିରମାନ ସର୍ବସାଧାରଣ ହିନ୍ଦୁ ମନ୍ଦିର ରୂପେ ଦେବୋତ୍ତର ଆଇନ ଅନ୍ତର୍ଭୁକ୍ତ କରାଯାଇ ଗୋଟିଏ କମିଟି ଦ୍ବାରା ପରିଚାଳନା କରାଗଲା। କମିଟିର ସଭ୍ୟମାନେ ଜୀବନ ବ୍ୟାପି ସଭ୍ୟ ଭାବେ ମନୋନୀତ ହୋଇଥିଲେ। ସେମାନଙ୍କୁ ଜଜ୍‌ ସାହେବ ମନୋନୀତ କରିଥିଲେ। ୧୯୩୯ରେ ହିନ୍ଦୁ ଦେବୋତ୍ତର ଆଇନ କରାଗଲା। ୧୯୫୧ରେ ହିନ୍ଦୁ ଦେବୋତ୍ତର ଆଇନ ପ୍ରଣୟନ ହୋଇ ଦେବୋତ୍ତର ଆୟୁକ୍ତ ନିଯୁକ୍ତ କରାଯାଇ ମନ୍ଦିରଗୁଡ଼ିକୁ ଇନଡେକ୍ସ କରାଗଲା। ଲିଙ୍ଗରାଜ ମନ୍ଦିରକୁ ୯୮୬ ଇନଡେକ୍ସ ନମ୍ବରରେ ନାମିତ କରାଗଲା। ସେବେଠାରୁ ଆୟୁକ୍ତ ଟ୍ରଷ୍ଟବୋର୍ଡ ଗଠନ କରିଥିଲେ। ୧ବର୍ଷ ପର୍ଯ୍ୟନ୍ତ ଟ୍ରଷ୍ଟବୋର୍ଡ ସଦସ୍ୟ ଗଠନ କରାଯାଇ ମନ୍ଦିରର ସେବାପୂଜା ଓ ଯାନିଯାତ୍ରା ଆଦି ସମ୍ପନ୍ନ କରାଯାଉଛି। କିନ୍ତୁ ଦିଅଁଙ୍କ ସମ୍ପତ୍ତି ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଲିଙ୍ଗରାଜଙ୍କ ନାଁରେ ଥିବା ସମ୍ପତ୍ତି ରାଜସ୍ବ ରେକର୍ଡରୁ ହଟିବାରେ ଲାଗିଛି। ଦେବୋତ୍ତର ଆୟୁକ୍ତ ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି, ଯାନିଯାତ୍ରା ଓ ଦିଅଁଙ୍କ ଭୂସମ୍ପତ୍ତି ସୁରକ୍ଷା ପାଇଁ ମନ୍ଦିର ପ୍ରଶାସନ ଏବଂ ଟ୍ରଷ୍ଟବୋର୍ଡ ଗଠନ କରିଛନ୍ତି। ତତ୍କାଳୀନ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ୨୦୧୯ରେ ଢେଙ୍କାନାଳ ଜିଲ୍ଲାର ୧୭୧ ଏକର ଜମି ଦିଅଁଙ୍କ ନାଁକୁ ଆଣିଥିଲେ ମଧ୍ୟ ତାହା ଅଦ୍ୟାବଧି ଜବରଦଖଲ ମୁକ୍ତ ହୋଇପାରିନି। ସେହିପରି କଟକ ଜିଲ୍ଲାରେ ୯୮ଏକର ୪୮୪ ଡେସିମିଲ, ଆନ୍ଧ୍ରପ୍ରଦେଶରେ ୬୦୦ଡେସିମିଲ, ପୁରୀ ଓ ଭୁବନେଶ୍ବରରେ ୧୫୨ ଏକର ୮୧୧ ଡେସିମିଲ, ସୁନ୍ଦରଗଡ଼ରେ ୧୨ଏକର ୨୨୦ ଡେସିମିଲ, ବାଲେଶ୍ବରରେ ୬୦୦ ଡେସିମିଲ, ଗଞ୍ଜାମରେ ୫୭ଏକର ୬୮୧ ଡେସିମିଲ, କେନ୍ଦୁଝରରେ ୧୫ଏକର ୮୭୦ ଡେସିମିଲ ଏହିପରି ମୋଟ ୩୩୮ଏକର ୨୬୬ ଡେସିମିଲ ଜମି ଶ୍ରୀଲିଙ୍ଗରାଜଙ୍କ ନାଁରେ ଗଡୁଥିବା ଜଣାପଡିଛି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି, ଲିଙ୍ଗରାଜଙ୍କ ଡାଟାବେସ୍‌ ପ୍ରସ୍ତୁତ ପାଇଁ ଜଣେ ଅଧିକାରୀ, ଜଣେ ରାଜସ୍ବ ନିରୀକ୍ଷକ, ଜଣେ ଅମିନ ଓ ଦୁଇଜଣ ପିଅନଙ୍କୁ ନେଇ ଜାଗା ଚିହ୍ନଟ ପ୍ରକ୍ରିୟ ଚାଲିଛି। ଏସମ୍ପର୍କରେ ଭୁବନେଶ୍ବର ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ କହିଛନ୍ତି, ଲିଙ୍ଗରାଜଙ୍କ ସମ୍ପତ୍ତିର ଡାଟାବେସ୍‌ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ