ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ସମାଲୋଚନା ପରେ ନିର୍ବାଚନ କମିସନ ନିଜ ଆଭିମୁଖ୍ୟ ବଦଳାଇଛନ୍ତି। ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ କରିଛନ୍ତି। ଦିଲ୍ଲୀ ଓ ମହାରାଷ୍ଟ୍ରର ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ଯୋଡ଼ିବା, କାଟିବା କିମ୍ବା କୌଣସି ତ୍ରୁଟି ସମ୍ପର୍କରେ ଦାବି ତଥା ଆପତ୍ତି ଦାଖଲ ପାଇଁ ଆୟୋଗ ଅତିରିକ୍ତ ସମୟ ଦେଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ, ହରିୟାଣା, ତେଲଙ୍ଗାନା ଓ ନାଗାଲାଣ୍ଡରେ ନୋଟିସ୍ର ସମାଧାନ ପାଇଁ ଧାର୍ଯ୍ୟ ସମୟସୀମା ବୃଦ୍ଧି କରାଯାଇଛି। ମହାରାଷ୍ଟ୍ର ସମେତ ୫ ରାଜ୍ୟରେ ନଭେମ୍ବର ୩୦ରେ ଓ ଦିଲ୍ଲୀରେ ଡିସେମ୍ବର ୨୨ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ଗତ ୨୮ ତାରିଖରେ ସୁପ୍ରିମକୋର୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରମାନଙ୍କୁ ଦାବି ଓ ଆପତ୍ତି ଦାଖଲ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବା ସହ ତରବରିଆ ଭାବେ ପ୍ରକ୍ରିୟା ସାରି ନ ଦେବାକୁ ଗୁରୁତ୍ୱ ଦେଇଥିଲେ। ଏହି ରାଜ୍ୟଗୁଡ଼ିକରେ ବର୍ତ୍ତମାନ ନିର୍ବାଚନ ନଥିବାବେଳେ ଏତେ ତରବରିଆ କାହିଁକି ହେଉଛନ୍ତି ବୋଲି ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ ଯେ ଏସଆଇଆରର ତୃତୀୟ ପର୍ଯ୍ୟାୟରେ ହରିୟାଣା, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ଦିଲ୍ଲୀ ସମେତ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ଯାଞ୍ଚ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ ୩୬.୭୩ କୋଟି ଭୋଟରଙ୍କ ଯାଞ୍ଚ କରାଯିବ। ଏସଆଇଆରର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ୧୦ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରାଯାଇସାରିଛି।
