Monday, March 2, 2026
34.4 C
Odisha

    ନବୀନ, ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫କୋଟି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ୫-ଟି ସଚିବ ଓ ଅଧ୍ୟକ୍ଷଙ୍କ ଫଟୋ ବିଜ୍ଞାପନ ପାଇଁ ୧୫କୋଟି ୨୬ଲକ୍ଷ ୯୧ହଜାର ୩୩ ଟଙ୍କା ଖର୍ଚ୍ଚ ହୋଇଛି। ତାହା ପୁଣି କେବଳ ୧୭ମା‌ସ ଭିତରେ। ଭି.କେ ପାଣ୍ଡିଆନ ହେଲିକପ୍ଟରରେ ସାରା ରାଜ୍ୟ ଚକ୍କର କାଟି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବେ ପ୍ରଚାର ପାଇଁ ମଧ୍ୟ କୋଟି କୋଟି ଖର୍ଚ୍ଚ କରାଯାଇଛି। ବିଧାନସଭାରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଗତବର୍ଷ ଜାନୁଆରିଠାରୁ ଚଳିତବର୍ଷ ମେ’ ମାସ ପର୍ଯ୍ୟନ୍ତ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବାବଦରେ ୩୩କୋଟି ୭୧ଲକ୍ଷ ୪୯ହଜାର ୧୦୬ ଟଙ୍କା ଖର୍ଚ୍ଚ ହୋଇଛି। ବିଭିନ୍ନ ଖବରକାଗଜରେ ଏହା ପ୍ରକାଶ ପାଇଛି। ଏହାବାଦ୍ ଏହି ସମୟ ଭିତରେ ସୂଚନା ଓ‌ ଲୋକସଂପର୍କ ବିଭାଗ ତରଫରୁ କେତେକ ବିଶେଷ କାର୍ଯ୍ୟକ୍ରମରେ ତଥ୍ୟ ଭିତ୍ତିକ ଆଲେଖ୍ୟ ପ୍ରକାଶ ପାଇଁ ଖବରକାଗଜଙ୍କୁ ଅନୁରୋଧ କରାଯାଇଥିଲା। ସେହି ଆଲେଖ୍ୟମାନଙ୍କରେ ସ୍ଥଳ ବିଶେଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ୫-ଟି ସଚିବଙ୍କ ଫଟୋ ସହ ସଂପୃକ୍ତ କାର୍ଯ୍ୟକ୍ରମରେ ଜଡ଼ିତ ବ୍ୟକ୍ତିବିଶେଷ ଓ ସ୍ଥାନର ଫଟୋ ପ୍ରକାଶ ପାଇଛି। ଏଥିପାଇଁ ୧୫କୋଟି ୨୬ଲକ୍ଷ ୯୧ହଜାର ୯୩୩ ଟଙ୍କା ଖର୍ଚ୍ଚ ହୋଇଛି।

    ଏଥିରେ ପ୍ରଥମ ବିଶ୍ବ ଭାଷା ସାହିତ୍ୟ ସମ୍ମଳନୀ-୨୦୨୪ ପାଇଁ ୧କୋଟି ୮୫ଲକ୍ଷ ୬୯ହଜାର ୩୪୨ ଓ ୨୨ଲକ୍ଷ ୧୧ହଜାର ୬୬୫, ନୂଆ-ଓ ଛାତ୍ରବୃତ୍ତି ସ୍ମାର୍ଟ କାର୍ଡ ଯୋଜନା ପାଇଁ ୧କୋଟି ୨୨ଲକ୍ଷ ୯୨ହଜାର ୫୭୯, ମା’ ସମଲେଇ ପ୍ରକଳ୍ପ ପାଇଁ ୧କୋଟି ୫୭ଲକ୍ଷ ୧ହଜାର ୯୬୦, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୯କୋଟି ୨୨ଲକ୍ଷ ୨୯ହଜାର ୮୯୩ ଟଙ୍କା ଥିବା ଆଉ ୧କୋଟି ୧୬ଲକ୍ଷ ୮୬ହଜାର ୪୯୪ ଟଙ୍କା ବାକି ରହିଛି। ତେବେ ବୈଦ୍ୟୁତିକ ଗଣମାଧ୍ୟମରେ ଫଟୋଭିତ୍ତିକ କୌଣସି ବିଜ୍ଞାପନ ଦିଆଯାଇନାହିଁ।

    ସେହିପରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଉ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତରରେ ପୂର୍ବ ବିଜେଡି ସରକାର ୨୦୧୯ ଏପ୍ରିଲରୁ ୨୦୨୪ ଏପ୍ରିଲ ମାସ ଭିତରେ ବିଜ୍ଞାପନ ପାଇଁ ୪୫୨କୋଟି ଟଙ୍କା ଖର୍ଚ୍ଚ କରିଥିବା ସାମ୍ନାକୁ ଆସିଛି। ଏଥିରେ ଛାପା ଗଣମାଧ୍ୟମକୁ ୪୩୨କୋଟି ୯୨ଲକ୍ଷ ୯ଶହ ଟଙ୍କା, ବୈଦ୍ୟୁତିକ ଗଣମାଧ୍ୟମକୁ ୧୯କୋଟି ୭୬ଲକ୍ଷ ୯୮ହଜାର ୮୯୬ ଓ ୱେବ୍‌ ମିଡିଆକୁ ୨୭ଲକ୍ଷ ୨ହଜାର ଟଙ୍କା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.4 ° C
    34.4 °
    34.4 °
    18 %
    4.2kmh
    6 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    39 °

    ସମ୍ବନ୍ଧିତ