Saturday, March 7, 2026
29.5 C
Odisha

    ମଣ୍ଡିରୁ ମୁହଁ ମୋଡ଼ିଲେ ୨୫% ଚାଷୀ: ବଳିଲା ଦେଢ଼ ଲକ୍ଷ କୁଇଣ୍ଟାଲ୍‌ ଟାର୍ଗେଟ୍‌

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା: ମଣ୍ଡି ଆରମ୍ଭରୁ ଯାହା ଆଶଙ୍କା କରାଯାଉଥିଲା, ଶେଷ ବେଳକୁ ସେୟା ହିଁ ହେଲା। ଚଳିତବର୍ଷ ଧାନକିଣା ଋତୁରେ ଖୋର୍ଦ୍ଧା ଜିଲ୍ଲାରୁ ୧ ଲକ୍ଷ ୮୦ହଜାର କୁଇଣ୍ଟାଲ୍‌ର ଧାନ ଟାର୍ଗେଟ୍ ବଳି ପଡ଼ିଲା ପଛେ, ଚାଷୀଙ୍କଠାରୁ କିଣା ଯାଇ ପାରିଲା ନାହିଁ। ଜିଲ୍ଲାର ୧୨ହଜାର ୪୫୬ଜଣ ଚାଷୀ ଏଥର ଧାନ ମଣ୍ଡିରୁ ମୁହଁ ଫେରାଇବାର ଚିତ୍ର ବି ବ୍ୟଥିତ କରିଛି। ଜିଲ୍ଲା ଧାନକିଣାରେ ଏ ପ୍ରକାର ନିଅଣ୍ଟିଆ ପରିସ୍ଥିତି ଜିଲ୍ଲାର ମରୁଡ଼ି ସ୍ଥିତିକୁ ଇଙ୍ଗିତ କରୁଛି। ଜିଲ୍ଲା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ତଥ୍ୟ କହୁଛି, ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାର ମୋଟ୍ ୫୧ହଜାର ୧୫୧ଜଣ ଚାଷୀ ଧାନଚାଷ କରିଛନ୍ତି। ସେମାନେ ଧାନ ବିକ୍ରି କରିବେ ବୋଲି ନିଜକୁ ପଞ୍ଜୀକୃତ କରିଥିଲେ।

    ସାଟେଲାଇଟ୍ ସର୍ଭେ ଜରିଆରେ ସରକାର ପ୍ରତ୍ୟେକ ପ୍ଲଟ୍‌କୁ ତନଖିଲେ। ଗାଁରେ ସୋସାଇଟି ସେକ୍ରେଟାରୀ, କୃଷି ଓ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ଲଗାଇ ପ୍ଲଟ୍‌ରେ ଚାଷ ହୋଇଛି କି ନାହିଁ, ଯାଞ୍ଚ ବି କଲେ। ଯାଞ୍ଚ ପରେ ଧାନ ମଣ୍ଡି ଖୋଲିଲା। ସମସ୍ତ ୫୧ହଜାର ଚାଷୀଙ୍କୁ ଟୋକନ ବଣ୍ଟାଗଲା। ଚାଷୀଙ୍କ ଧାନଚାଷକୁ ଦେଖି ସରକାର ଏଥର ପ୍ରଥମ ପର୍ଯ୍ୟାୟରେ ୧୩ଲକ୍ଷ ୧୧ହଜାର ୭୬୪କୁଇଣ୍ଟାଲ୍‌ ଧାନ କିଣିବା ପାଇଁ ଟାର୍ଗେଟ୍‌ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ୧ ଲକ୍ଷ ୧୭ହଜାର ୬୪୭କୁଇଣ୍ଟାଲ୍‌ର ଅତିରିକ୍ତ ଧାନ କିଣିବା ପାଇଁ ଅନୁମତି ଦିଆଗଲା। ଦୁଇଟି ପର୍ଯ୍ୟାୟରେ ଜିଲ୍ଲାରୁ ମୋଟ୍ ୧୪ଲକ୍ଷ ୨୯ହଜାର ୪୧୧ କୁଇଣ୍ଟାଲ୍ ଧାନ କିଣିବା ପାଇଁ ସରକାର ଜିଲ୍ଲାକୁ ଟାର୍ଗେଟ୍ ଦେଲେ।

    କିନ୍ତୁ ଜିଲ୍ଲାରେ ଧାନ ଅମଳ ଏତେ ଅଭାବ ପରିଲକ୍ଷିତ ହେଲା ଯେ ଦ୍ବିତୀୟ ଟାର୍ଗେଟ୍‌ ଉପରେ ହାତ ମାରିବା ଦୂରେ ଥାଉ, ଜିଲ୍ଲା ଯୋଗାଣ ବିଭାଗ ପ୍ରଥମ ଟାର୍ଗେଟ୍‌ ବି ପୂରଣ କରି ପାରିଲା ନାହିଁ। ୧୪ଲକ୍ଷ ୨୯ହଜାର କୁଇଣ୍ଟାଲ୍ ମଧ୍ୟରୁ ମାତ୍ର ୧୨ଲକ୍ଷ ୫୦ହଜାର ୪୬୨କୁଇଣ୍ଟାଲ୍ ଧାନ କିଣା ହୋଇଛି। ଅବଶିଷ୍ଟ ୧ଲକ୍ଷ ୭୮ହଜାର ୯୪୯କୁଇଣ୍ଟାଲ୍ ଟାର୍ଗେଟ୍‌ ବଳି ପଡ଼ିଛି। ଗତବର୍ଷ ଜିଲ୍ଲାରୁ ୧୪ଲକ୍ଷ ୫୭ହଜାର ୫୪୩କୁଇଣ୍ଟାଲ୍ ଧାନ ବିକ୍ରି କରିଥିଲେ। ଚଳିତବର୍ଷ ସେତିକି ବି ଧାନ ସରକାରଙ୍କ ପାଖକୁ ଆସି ପାରିନାହିଁ।
    ଗତବର୍ଷ ଜିଲ୍ଲାର ୪୮ହଜାର ୪୦୮ଜଣ ଚାଷୀ ଧାନ ବିକ୍ରି କରିଥିଲେ। ଚଳିତବର୍ଷ ଜିଲ୍ଲାର ପଞ୍ଜୀକୃତ ମୋଟ୍ ୫୧ହଜାର ୧୫୧ ଚାଷୀଙ୍କ ମଧ୍ୟରୁ ମାତ୍ର ୩୮ହଜାର ୬୯୫ ଚାଷୀ ଧାନ ବିକ୍ରି କରିଛନ୍ତି। ଅବଶିଷ୍ଟ ୧୨ହଜାର ୪୫୬ ଚାଷୀ ଧାନମଣ୍ଡିରୁ ମୁହଁ ମୋଡ଼ିଛନ୍ତି। ଶତକଡ଼ା ହିସାବରେ ଜିଲ୍ଲାରେ ୨୫% ଚାଷୀ ଧାନ ବିକ୍ରି କରିବାକୁ ଆସି ନାହାନ୍ତି। ବେଗୁନିଆ ବ୍ଲକ୍‌ ପଙ୍ଗାରସିଂହ ଏବଂ ଜାଗେଶ୍ବରୀ ଆଦି ଦୁଇ ଗୋଟି ସେବା ସମବାୟ ସମିତିରୁ ଏଥର ମୁଠାଏ ଧାନ କିଣାଯାଇ ପାରିନାହିଁ। ଜିଲ୍ଲାର ଅନ୍ୟ ୮ଟି ବ୍ଲକ୍‌ ଅପେକ୍ଷା ବୋଲଗଡ଼ ଏବଂ ବେଗୁନିଆର ସ୍ଥିତି ଜଟିଳ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    44 %
    2kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ