Tuesday, April 7, 2026
35.3 C
Odisha

    ଏବର୍ଷ ଲାଗିବ ୫ କୋଟି ଚାରା: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା ‘ଏକ ପେଡ୍‌ ମା କେ ନାମ’ ଅଭିଯାନରେ ସାମିଲ ହେବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇ ସେହି ଫଟୋ ଅପ୍‌ଲୋଡ କରିବାକୁ ଯେଉଁ ଆହ୍ବାନ ଦିଆଯାଇଛି ସେଥିରେ ଓଡ଼ିଶା ଶୀର୍ଷରେ ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସର୍ବାଧିକ ୧ ଲ‌କ୍ଷ ୪୮ ହଜାର ଫଟୋ ଅପଲୋଡ୍‌ କରାଯାଇ ପ୍ରଥମ ହୋଇଛି। ଯେତେବେଳେ କି କେରଳ ୪୮ ହଜାର ଗଛ ଲଗାଇ ଦ୍ବିତୀୟ ସ୍ଥାନରେ ରହିଛି। ୭୫ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳନ ଅବସରରେ ଡୁମୁଡୁମାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

    ସେ ଆହୁରି କହିଲେ ‌‌ଓଡ଼ିଶାର ଜନସଂଖ୍ୟା ‌ସାଢ଼େ ୪ କୋଟି ହୋଇଥିବାରୁ ସେହି ଅନୁଯାୟୀ ୫ କୋଟି ଚାରା ଲଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହାୟତାରେ ୨ କୋଟି ୨୦ ଲକ୍ଷ ଚାରା ଲଗାଇବାକୁ ଥିବା ବେଳେ ୨ କୋଟି ୮୦ ଲକ୍ଷ ଚାରା ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ଜିଲ୍ଲାପାଳ ଓ ଜିଲ୍ଲା ବନ ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରିବେ। ସେହିପରି ବଜ୍ରପାତଜନିତ ଦୁର୍ଘଟଣାରୁ ଲୋକଙ୍କୁ ରକ୍ଷା କରିବାକୁ ବନ ବିଭାଗ ପକ୍ଷରୁ ଏ ବର୍ଷ ରାଜ୍ୟରେ ଜଙ୍ଗଲ ଓ ବ୍ଲକ ଚତୁପାର୍ଶ୍ବରେ ୧୯ ଲକ୍ଷ ତାଳଗଛ ଲଗାଯିବ। ବଜ୍ରପାତ ରୋକିବା ଦିଗରେ ଏହା ବଜ୍ର କବଚ ହେବ। ସାଧାରଣତଃ ଜାପାନ ଭଳି ଦେଶରେ ଦେଖିବାକୁ ମିଳୁଥିବା ଚେରି ବ୍ଲସମ୍‌ ଗଛକୁ ଦାରିଙ୍ଗବାଡ଼ିରେ ଲଗାଯାଉଛି। ହଜାରେ ଚେରି ବ୍ଲସମ ଗଛ ଲଗାଯାଇ ଦାରିଙ୍ଗବାଡ଼ିକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବାକୁ ଏହା ଏକ ସୁନ୍ଦର ଅଭିଯାନ। ଗତ ବର୍ଷଗୁଡ଼ିକରେ କାମ୍ପା ପାଣ୍ଠିରୁ ଓଡ଼ିଶାକୁ ୬ହଜାର କୋଟି ଟଙ୍କା ମିଳିଥିଲା ଏବଂ ଏଥର ହଜାରେ କୋଟି ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସୂଚନା ଦେଇଛନ୍ତି।

    କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ମତବ୍ୟକ୍ତ କରିଥିଲେ। ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ପିଲାଙ୍କୁ ପରିବେଶ ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଚଳିତବର୍ଷ ପଥପାର୍ଶ୍ୱ ବନୀକରଣ ଓ ସହରାଞ୍ଚଳ ବନୀକରଣ କରିବାକୁ ୩୦ ମାସିଆ ଚାରା ଉତ୍ପାଦାନ କରାଯାଇଛି। ପରିବେଶ ସୁରକ୍ଷା ପାଇଁ ଏଥିରେ ପରିବେଶ ଅନୁକୂଳ ପଲିଥିନ୍‌ ଦିଆଯିବ। ଓଡ଼ିଶାରେ ପ୍ରତିବର୍ଷ ବଜ୍ରପାତରେ ୩୫୦ ଜଣ ମୃତ୍ୟୁବରଣ କରୁଛନ୍ତି। ତେଣୁ ତାଳଗଛ ରୋପଣ ଉପରେ ଗୁରୁତ୍ବ ଦିଆଯିବା ସହ ତାଳ ଗଛ କାଟୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

    ଜଙ୍ଗଲ ସୁରକ୍ଷା ଓ ବନୀକରଣ କାର୍ଯ୍ୟ ପାଇଁ ନବରଙ୍ଗପୁରର ବତାସର ବନ ସଂରକ୍ଷଣ ସମିତି ଓ ସୁନ୍ଦରଗଡ଼ର ସାଗରପାଲି ବନ ସଂରକ୍ଷଣ ସମିତିକୁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ଏହି ଦୁଇ ସଂସ୍ଥାକୁ ୧ ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯାଇଥିଲା। ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆର୍‌ସିସିଏଫ୍‌, ଭୁବନେଶ୍ବର ଅଶ୍ୱିନୀ କର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ରଶ୍ମୀରଞ୍ଜନ ପାଟ୍ଟଶାଣୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସବିତା ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ