Thursday, September 10, 2026
24 C
Odisha

    ବିଜେପି ନଜରରେ ୮୦ ବିଧାନସଭା, ୧୬ ଲୋକସଭା ଆସନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି କିପରି ସରକାର ଗଠନ କରିବ ଏବଂ ୧୬ରୁ ଅଧିକ ଲୋକସଭା ଆସନରେ ଜିତିବ ସେନେଇ ରଣନୀତି ପ୍ରସ୍ତୁତ କରିବା ଲାଗି ପ୍ରସ୍ତୁତ ହେଉଛି ରାଜ୍ୟ ବିଜେପି କାର୍ଯ୍ୟାଳୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରୁ ପ୍ରଥମ ନିର୍ବାଚନୀ ସଭା ଆରମ୍ଭ କରିଛନ୍ତି। ଆଗକୁ କେଉଁ କେଉଁ ରାଷ୍ଟ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସିବେ, କେଉଁଠି ସମାବେଶ କରିବେ ସେନେଇ ବିଚାର ଆଲୋଚନା ଆରମ୍ଭ ହୋଇଛି।
    ଏହାକୁ ନଜରରେ ରଖି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନୂଆ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ସହପ୍ରଭାରୀ ଲତା ଉସେଣ୍ଡି। ଏହି ଦୁଇ ନେତା ସୋମବାର ରାଜ୍ୟ କାର୍ଯ୍ୟାଳୟରେ ବିଜେପି ପଦାଧିକାରୀ, ଜିଲ୍ଲା ସଭାପତି, ନବନିଯୁକ୍ତ ଲୋକସଭା ପ୍ରଭାରୀ ଓ ମୋର୍ଚ୍ଚା ସଭାପତିମାନଙ୍କ ସହ ପୃଥକ ପୃଥକ ଆଲୋଚନା କରି ମତାମତ ଲୋଡ଼ିବେ। ରାଜ୍ୟ ସଭାପତି ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କୁ ରିପୋର୍ଟ ଦେବେ। ଏହାକୁ ଆଧାର କରି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଓଡ଼ିଶା ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଏପରିକି ଓଡ଼ିଶାରେ କେଉଁ ଲୋକସଭା ଆସନ ପାଇଁ କେଉଁମାନେ ଆଶାୟୀ ପ୍ରାର୍ଥୀ ଅଛନ୍ତି ତା’ର ତାଲିକା ମଧ୍ୟ ଏହି ନେତାମାନେ ଆଗୁଆ ଦେବେ। ଫଳରେ ରାଷ୍ଟ୍ରୀୟ ନେତା ସମାବେଶ କରିବାବେଳେ ସେହି ନେତାଙ୍କ ମଧ୍ୟରୁ କାହାକୁ ଅଧିକ ଗୁରୁତ୍ବ ମିଳିବ, ତାହା ସ୍ଥିର ହେବ। ଆଜି ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି ଯେ ଏଥର ଓଡ଼ିଶାରେ ଡବଲ୍‌ ଇଞ୍ଜିନ ସରକାର ହେବ। ୮୦ରୁ ଅଧିକ ବିଧାୟକ ଜିତିକି ଆସିବେ ଏବଂ ଲୋକସଭାରେ ୧୬ରୁ ଅଧିକ ସାଂସଦ ଜିତିବେ। ଏନେଇ ରଣନୀତି ପ୍ରସ୍ତୁତ ହେଉଛି।
    ସେହିପରି ସହପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଏଥର ବିଜେପିର ହିଁ ସରକାର ହେବ। ସମଗ୍ର ଦେଶରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳାମାନଙ୍କ ପାଇଁ ବହୁତ ବିକାଶ ମୂଳକ କାର୍ଯ୍ୟ ହୋଇଛି। ମହିଳାମାନେ ଆମ ସହିତ ଅଛନ୍ତି। ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଢ଼ିବାରେ ମହିଳାଙ୍କର ସବୁଠୁ ବଡ଼ ଅବଦାନ ରହିବ। ବିଜେପି ଓଡ଼ିଶାରେ ଏକାକୀ ଲଢ଼ିବ ଓ ସରକାର ଗଢ଼ିବା ପାଇଁ ଲଢ଼ିବ। ରାମ ମନ୍ଦିର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବ। ଆମେ ଏଠି ସରକାର ଗଢ଼ିବାରେ ସମର୍ଥ ହେବୁ ବୋଲି ସେ କହିଛନ୍ତି। ଅପରପକ୍ଷେ ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, କିଛି ଦିନ‌ ତଳେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳର ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ଆଲୋଚନା କରିବା ପରେ ଲୋକସଭା ପ୍ରଭାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାସହ କେଉଁ ଆସନରେ କେଉଁମାନେ ଆଶାୟୀ ପ୍ରାର୍ଥୀ ଅଛନ୍ତି ସେନେଇ ବି ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ ହୋଇଛି। ନବନିଯୁକ୍ତ ପ୍ରଭାରୀ ଓ ସହପ୍ରଭାରୀ ଆସନ୍ତାକାଲି ଏନେଇ ସବିଶେଷ ଆଲୋଚନା କରିବା ପରେ କ୍ଷେତ୍ରୀୟ ପ୍ରଭାରୀଙ୍କ ମାଧ୍ୟମରେ ରାଷ୍ଟ୍ରୀୟ ସଭାପତିଙ୍କୁ ରିପୋର୍ଟ ଦେବେ। ଏବେ ମୁଖ୍ୟତଃ ଲୋକସଭା ଆସନଗୁଡ଼ିକ ପାଇଁ ଅଧିକ ଫୋକସ୍ ଦିଆଯାଇଛି। ବିଧାନସଭା ଆସନଗୁଡ଼ିକ ପାଇଁ ଶୀଘ୍ର ରଣନୀତି ଚୂଡ଼ାନ୍ତ ହେବ। ରାଷ୍ଟ୍ରୀୟ ନେତାମାନେ ଓଡ଼ିଶାରେ ସମାବେଶ କଲେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ଉଠାଇବେ। ଏହାସହ ରାଜ୍ୟ ସରକାରଙ୍କୁ କିପରି ସେମାନେ ସିଧାସଳଖ ସମାଲୋଚନା କରିବେ ସେନେଇ ସମସ୍ତ ତଥ୍ୟ ପ୍ରସ୍ତୁତ କରି ଦିଆଯାଉଛି।

    ଉକ୍ତ ନେତାଙ୍କ କହିବାନୁଯାୟୀ, ଫେବ୍ରୁଆରି ଓ ମାର୍ଚ୍ଚରେ ବିଜେପିର ରାଷ୍ଟ୍ରୀୟସ୍ତରର ସମସ୍ତ ବରିଷ୍ଠ ନେତା ଓଡ଼ିଶା ଗସ୍ତରେ ଆସି ସଭା କରିବେ। ଏହାପୂର୍ବରୁ ୬ଟି କ୍ଲଷ୍ଟର ଦାୟିତ୍ବରେ ଥିବା ନେତାମାନେ ଓଡ଼ିଶା ଗସ୍ତରେ ଆସି ସଭା କରିବେ। ଏଥିରେ ଆସନ୍ତା ୧୩ ତାରିଖରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜଗତସିଂହପୁର ଗସ୍ତରେ ଆସିବେ। ଏହାପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଓଡ଼ିଶା କାର୍ଯ୍ୟକ୍ରମ ନେଇ ଚୂଡ଼ାନ୍ତ ହେବ। ତେବେ ଫେବ୍ରୁଆରି ୧୦ତାରିଖରେ ଭୁବନେଶ୍ବରରେ ହେବାକୁ ଥିବା ମହିଳା ସମାବେଶ ସ୍ଥଗିତ ହୋଇଥିବାରୁ ଏହା କେବେ, କେଉଁଠି ହେବ ସେନେଇ ଚୂଡ଼ାନ୍ତ ହେବ। ଉଲ୍ଲେଖଥାଉକି, ଫେବ୍ରୁଆରି ୧୭ ଓ ୧୮‌ରେ ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ